ଅଜଣା ଗାଡି ଧକ୍କାରେ ଦୁଇ ଜଲେଜ ଛାତ୍ରୀଙ୍କ ମୃତ୍ୟୁ
ହାଟଡିହି(ଓ୍ବାଇଏନଏସ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୨ ଛାତ୍ରୀ ମୃତ୍ୟୁ ଘଟିଛି। ଜାତୀୟ ରାଜପଥ ୨୦ ଘସିପୁରା ଥାନା ଶାଳପଡାରେ ଥିବା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ର ୨ ଛାତ୍ରୀ କ୍ଲାସ ସାରି ଘରକୁ ଫେରିବା ବାଟରେ କଲେଜ ଠାରୁ ଅନତି ଦୂରରେ ବାରିଗାଁ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ଦୁର୍ଘଟଣାରେ ଉଭୟ ଛାତ୍ରୀ ଚେତାଶୂନ୍ୟ ଅବସ୍ଥାରେ ରାସ୍ତା କଡ଼ ନୟନ ଜୋରୀକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀଙ୍କ ମଧ୍ୟରୁ ଜଣେ ବେଲବାହାଳି ଗାଁର ଦୀପାଞ୍ଜଳି ସାହୁ ଓ ଅନ୍ୟଜଣକ ସିଆପଡା ଗାଁର ଅନ୍ନପୂର୍ଣ୍ଣା ପାତ୍ର। ଘଟଣା ପରେ କିଛି ସମୟ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ଦୁର୍ଘଟଣାକୁ କେନ୍ଦ୍ରକରି ବେଲବାହାଳି ନିକଟରେ ଉତ୍ତେକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଶାଳପଡ଼ା ଠାରୁ ବେଲବାହାଳି ପର୍ଯ୍ୟନ୍ତ ଅପ୍ରୋଚ ରୋଡ଼ ନିର୍ମାଣ ଓ ବେଲବାହାଳି କଲେଜ ରେ ଯୁକ୍ତ ତିନି ଖୋଲିବାକୁ ଦାବି କରିଛନ୍ତି। ଜିଲ୍ଲା ପରିଷଦ ଅସୀମା ମିଶ୍ର, ସରପଞ୍ଚ ଦିପ୍ତି ସାହୁ ପ୍ରମୁଖ ଲୋକଙ୍କ ସହ ଥିବାବେଳେ ଘସିପୁରା ଅତିରିକ୍ତ ତହସିଲଦାର, ଆନନ୍ଦପୁର ଏସ ଡି ପି ଓ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ମୃତ ଦୁଇ ଛାତ୍ରୀଙ୍କ ବାପା ଘରେ ଶଯ୍ୟାଶାୟୀ ଅଛନ୍ତି।


