ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ଛତ୍ରପୁର, (ଓ୍ବାଇଏନଏସ):ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଓ ଓଡ଼ିଶା ବାଣିଜ୍ୟ ସଂଗଠନ ର ମିଳିତ ସହଯୋଗରେ ୨ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଶନିବାର ଉଦ୍ଘାଟିତ ହୋଇଯାଇଛି । ‘’ଆର୍ଥିକ ଅଭିନବତ୍ୱ ପରିଚାଳନା କ୍ଷେତ୍ରରେ ବିଶ୍ୱ ଅର୍ଥନୀତିରେ ଡିଜିଟାଲ ମାର୍କେଟିଂ, ଫିନ୍ଟେକ୍ ଓ ଔଦ୍ୟୋଗିକ ପ୍ରୟାସର ସମନ୍ୱୟ’’ ଶୀର୍ଷକ ଏହି ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ପରିଚିତ ଓ ସମ୍ମାନିତ ଅନେକ ଶିକ୍ଷାବିତ, ଗବେଷକ, ଅର୍ଥନୀତି ବିଶାରଦ ତଥା ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ତଥା ଆଭାସୀ ମାଧ୍ୟମରେ ଯୋଗଦେଇ ଡିଜିଟାଲ ମାର୍କେଟିଂ, ଫିନ୍ଟେକ୍ ଓ ଉଦ୍ୟୋଗୀକରଣ ଓ ବିଶ୍ୱ ଅର୍ଥନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଦୁଇ ଦିନିଆ ସମ୍ମିଳନୀର ପ୍ରଥମ ଦିନର ଉଦ୍ଘାଟନୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ସଫଳ ଉଦ୍ୟୋଗୀ , ଆଇନଜୀଵୀ ତଥା ଛତ୍ରପୁର ୟୁରୋ ସ୍କୁଲର ଅଧ୍ୟକ୍ଷ ରଞ୍ଜାନ ମହାପାତ୍ର ଯୋଗଦେଇ ଡିଜିଟାଲ ମାର୍କେଟ୍ରେ ଟେକ୍ନୋଲୋଜିକ ପ୍ରଭାବ କିପରି ରହିଛି । ବଜାରରେ ବିଜ୍ଞାପନର କିପରି ପ୍ରଭାବ ରହିଛି, ଫାଇନାନ୍ସ କମ୍ପାନି ଗୁଡିକ ଏବଂ ଉଦ୍ୟୋଗୀଙ୍କ ଉପରେ ଅର୍ଥନୈତିକ କେଉଁ ପ୍ରକାର ପ୍ରଭାବ ରହୁଛି ତାହାକୁ ନେଇ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ । ଏହାସହ ଆଜି ଯେଉଁ ଆଲୋଚନା ହୋଇଛି ତାହା ନିଶ୍ଚିତ ଭାବେ ଉଚ୍ଚସ୍ତରୀୟ ବିଷୟ ରହିଥିଲା । କାରଣ ଆମ ସମସ୍ତଙ୍କ ଜୀବନ ଟେକ୍ନୋଲୋଜିକ ଦ୍ୱାରା ବନ୍ଧା । ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜିର ଆବଶ୍ୟକତା ରହୁଛି ବା ବ୍ୟବହାର କରୁଛେ । ଏଣୁ ଆଜି ଏଠି ଯେଉଁ ବିଷୟରେ ଆଲୋଚନା ହୋଇଛି ତାହା ଛାତ୍ରଛାତ୍ରୀମାନଙ୍କ ମାନସିକସ୍ତରରେ ଅଭିବୃଦ୍ଧି ଏବଂ ଶିକ୍ଷାକ୍ଷେତ୍ରରେ ଉଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ ବୋଲି ଶ୍ରୀ ମହପାତ୍ର କହିଛନ୍ତି । ମୁଖ୍ୟ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ପ୍ରଫେସର ମଳୟ କୁମାର ମହାନ୍ତି ଯୋଗଦେଇ ବର୍ତ୍ତମାନ ସମୟର ବିଶ୍ୱ ବାଣିଜ୍ୟିକ କାରବାର, ଅର୍ଥନୀତି, ଡିଜିଟାଲ ସେବା ଓ ଗ୍ଲୋବାଲ୍ ବ୍ୟବସାୟୀକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର୍ କିଶୋର କୁମାର ଦାଶ, ଓଡିଶା ବାଣିଜ୍ୟ ସଙ୍ଘଠନର ସଂପାଦକ ଡ. ବିଶ୍ୱମୋହନ ଜେନା ଏବଂ ମୁଖ୍ୟ ବକ୍ତା ଭାବରେ ପିନାକିଲ ପ୍ରାଇଭେଟ୍ ଲିମିଟେଡ଼୍ର ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ବିଶ୍ୱ ବ୍ୟବସାୟରେ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତାର ପ୍ରଭାବ, ଇ-କମର୍ସର ବିସ୍ତାର ଆଦି ସମ୍ପର୍କରେ ଆଲୋଚନା କରିବା ସହିତ ଏପରି ଅନ୍ତର୍ଜାତୀୟ ସମ୍ମିଳନୀ ଶିକ୍ଷକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାଧାରଣ ମଞ୍ଚ ସୃଷ୍ଟି କରେ ଏବଂ ବିଭିନ୍ନ ଦେଶର ଚିନ୍ତାଧାରା ଓ ଗବେଷଣାତ୍ମକ ଫଳାଫଳର ବିନିମୟ ଫଳରେ ଆର୍ଥିକ ଅଭିବୃଦ୍ଧିର ମାନ ବଢିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନର ବିଶ୍ୱ ପରିପ୍ରେକ୍ଷୀରେ ବାଣିଜ୍ୟିକ ତଥା ଆର୍ଥିକ ପରିଚାଳନାର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି । ଡିଜିଟାଲ୍ ଅର୍ଥନୀତି, ଷ୍ଟାର୍ଟଅପ୍ ସଂସ୍କୃତି ଓ ନୂତନ ବ୍ୟବସାୟ ମଡେଲ୍ ଗୁଡିକ ଯୁବ ପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି । ତେଣୁ ଏପରି ସମୟରେ ଗବେଷଣାମୂଳକ ଚିନ୍ତନ, ନୂତନ ଉଦ୍ଭାବନ ଓ ନୈତିକ ବ୍ୟବସାୟ ପ୍ରଣାଳୀ ଦ୍ୱାରା ଦେଶର ଆର୍ଥିକ ଉନ୍ନତି ସମ୍ଭବ ଅଟେ । ପ୍ରଥମ ଦିନରେ ବିଭିନ୍ନ ଟେକ୍ନିକାଲ୍ ସେସନ୍ ଆୟୋଜିତ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଆଲୋଚନାଚକ୍ର, ପେପର୍ ପ୍ରେଜେଣ୍ଟେସନ୍ ଓ ସମାପନୀ ଉତ୍ସବ ଅନୁଷ୍ଠିତ ହେବ । ସମ୍ମିଳନୀର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ. ପିଙ୍କିରାଣୀ ଦେଇ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ଦାସ ସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ଡ. ବିଶ୍ୱମୋହନ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଆଇକ୍ୟୁଏସି ସଂଯୋଜିକା ଡ. ଶୁଚିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଆଦି ଯୋଗ ଦେଇଥିଲେ ।


