ଆଉ ଦୁଇ ଦିନ ପରେ ପ୍ରସିଦ୍ଧ ଘୋଷଯାତ୍ରା : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥନିର୍ମାଣ କାର୍ଯ୍ୟ

ଆସିକା (ୱାଇଏନ୍‍ଏସ୍‍) ଆଉ ମାତ୍ର ୨ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିି ରତ୍ନବେଦିରୁ ବାହାରି ନବଦିନ ବ୍ୟାପୀ ଜନ୍ମବେଦିକୁ ଯାତ୍ରା କରିବେ । ସେଥିପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ରଥ ନିର୍ମାଣ କାର୍ଯ୍ୟ ଓ ରଙ୍ଗ ଦିଆ କାର୍ଯ୍ୟ ଜୋରସୋରରେ ଚାଲିଛି। ରଥଯାତ୍ରା ପାଇଁ ଆସିକା ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇପଡିଥିଲା ବେଳେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସଂପନ୍ନ କରିବା ପାଇଁ ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଇଛି । ରଥ ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ଲାଗି ପଦକ୍ଷେପ ନିଆଯାଉଥିବା ଜଣାପଡିଛି । ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ମହାଆଡମ୍ବରରେ ଅନୁଷ୍ଟିତ ହେବ ରଥଯାତ୍ରା। ପବିତ୍ର ରଥଯାତ୍ରାକୁ ନେଇ ଆସିକା ଅଞ୍ଚଳରେ ଶ୍ରଦ୍ଧାଳୁ ଭକ୍ତଙ୍କ ଠାରୁ ଆରମ୍ଭ କରି ସେବକଙ୍କ ଯାଏଁ ସମସ୍ତେ ବର୍ତ୍ତମାନ ଠାରୁ ଉତ୍ସାହିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ୨୭ ତାରିଖ ଦିନ ହେବାକୁ ଥିବା ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ରଥଗୁଡିକରେ ରଙ୍ଗଦିଆ କାର୍ଯ୍ୟ ଜୋର୍‍ସୋର୍‍ରେ ଚାଲିଛି । ଆସନ୍ତା ୨୬ ତାରିଖ ଦିନ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଅଣସରରେ ୧୪ ଦିନ ରହିବା ପରେ ନବଯୈାବନ ବେଶରେ ଦର୍ଶନ ଦେବେ ଦାରୁବିଗ୍ରହ ଓ ୨୭ ତାରିଖ ଦିନ ନବଦିନାତ୍ମକ ଘୋଷଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ବିଶ୍ୱନିୟନ୍ତା ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରା ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୂ ଶ୍ରୀଜଗନ୍ନାଥ, ବଡଭାଇ ପ୍ରଭୂ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ପବିତ୍ର ଘୋଷଯାତ୍ରାରେ ରଥାରୁଢ ହୋଇ ମାଉସୀ ମା ମନ୍ଦିରକୁ ଯିବେ । ଆଗାମୀ ରଥଯାତ୍ରାକୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଶୃଙ୍ଖଳିତ, ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ସରସ ସୁନ୍ଦର ଭାବେ ଉତ୍ସାହ ଓ ଉଦ୍ଦୀପନାର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି । ପବିତ୍ର ରଥଯାତ୍ରା ଯେତିକି ପାଖେଇ ଆସୁଛି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସେତିକି ଚଳଚଞ୍ଚଳ ହେବା ସହ ଆଧ୍ୟାତ୍ମିକପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ସେତିକି ଉତ୍ସାହ ବଢିବାରେ ଲାଗିଛି । ଗୁଣ୍ଡିଚା ଯାତ୍ରା ହେଉଛି ଚତୁର୍ଦ୍ଧା ବିଗ୍ରହଙ୍କ ଏକ ଅନନ୍ୟ ଲୀଳା । ତେଣୁ ଏହି ଘୋଷଯାତ୍ରାକୁ ନେଇ ବିଭିନ୍ନ ଜଗନ୍ନାଥ ମନ୍ଦିର ପରିସର ଚଳଚଞ୍ଚଳ ହୋଇ ଉଠୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ