ଟ୍ୟାଙ୍କର ଧକ୍କାରେ ମାମୁଁଙ୍କ ସମେତ ୨ ଭାଣଜୀ ମୃତ ଅନ୍ୟ ଜଣେ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟ ରାସ୍ତାର ବଜାଜ ସୋ ରୁମ୍ ସମ୍ମୁଖରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଟାରେ ଏକ ତେଲ ବୋଝେଇ ଟ୍ୟାଙ୍କର ସହ ବୁଲେଟ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମାମୁଁ ଙ୍କ ସମେତ ତାଙ୍କ ଦୁଇ ଭାଣଜୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମାମୁଁ ଜଣକ ହେଲେ ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ଜି . ତ୍ରିନାଥ ରେଡ୍ଡୀ (୩୯) ଏବଂ ତାଙ୍କ ଦୁଇ ଭାଣଜୀ ହେଲେ ସାନଖେମୁଣ୍ଡି ବ୍ଳକ ଗୈାତମୀ ଗ୍ରାମର ବର୍ଷା ରେଡ୍ଡୀ (୧୮) ଏବଂ କବିସୂର୍ଯ୍ୟନଗର ଥାନା ଅଧିନସ୍ଥ ପଥରା ଗ୍ରାମର ଡି . ରୁଦ୍ରିକା ରେଡ୍ଡୀ (୬) । ସୂଚନା ପ୍ରକାରେ ଦକ୍ଷିଣପୁର ଗ୍ରାମର ଏକ ଭୋଜି କାର୍ଯ୍ୟକ୍ରମକୁ ମୃତ ତ୍ରିନାଥ ଙ୍କ ଦୁଇ ଭଉଣୀ ସହ ଦୁଇ ଭାଣିଜୀ ମଧ୍ୟ ଆସିଥିଲେ । ଅପରାହ୍ନରେ ଭୋଜି ଖାଇବା ପରେ ମାମୁଁ ତ୍ରିନାଥ ଭାଣିଜୀ ଦ୍ବୟ ଙ୍କୁ ଧରି ନିଜ ବୁଲେଟ ନଂ. ( ଓଡି୦୭ ଏ ୱାଇ ୫୭୦୯) ଯୋଗେ ଡ୍ରେସ୍ କିଣିବା ପାଇଁ ଦିଗପହଣ୍ଡି ଆସୁଥିଲେ । ଏହି ସମୟରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କର ନଂ. ( ଓଆର ୦୫ ଏଟି ୫୭୪୫) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ତିନି ଜଣ ଯାକ ରାସ୍ତାରେ କଚାଡି ହୋଇ ପଡିଥିଲେ । ସେହି ସମୟରେ ଗଜପତି ଜିଲ୍ଲା ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ମୋହନା ଥାନା ଡେଙ୍ଗାମା ଗ୍ରାମର ଭାସ୍କର ବିଷୋୟୀ ମଧ୍ୟ ଟ୍ରକକୁ ଧକ୍କା ଦେଇ ଗୁରୁତର ହୋଇଥିଲେ । ଖବରପାଇ ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତ୍ରିନାଥ ଓ ତାଙ୍କ ଭାଣଜୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଭାସ୍କରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରିଛନ୍ତି। ପୁଲିସ ଦୁର୍ଘଟଣାଗସ୍ତ ଟ୍ୟାଙ୍କର ଓ ୨ ଟି ମୋଟରସାଇକେଲ କୁ ଜବତ କରିବା ସହ ୩ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିବା ଜଣାପଡିଛି। ଟ୍ୟାଙ୍କର ଚାଳକ ଫେରାର ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।