ଦୁଇ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ: ୨୦ରୁ ଅଧିକ ଆହତ
କଟକ(ଓ୍ବାଇଏନଏସ) : କଟକ ସାଲେପୁର ଥାନା ଅନ୍ତର୍ଗତ କଟକ ସାଲେପୁର ରାସ୍ତାର ଭାତପଡା ଛକ ନିକଟରେ ଆଜି ସକାଳେ ଦୁଇଟି ଘରୋଇ ବସ ମଧ୍ୟରେ ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ଗ୍ରସ୍ତ ଉଭୟ ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଏବଂ ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି ସେଥିମଧ୍ୟରୁ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଜି ସକାଳେ ମହାଲକ୍ଷ୍ମୀ ଓ ପପୁ ନାମକ ଦୁଇ ଗୋଟି ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାତ୍ରା କରି ଥିଲେ। ତେବେ କିଏ ଆଗାମୀ ଷ୍ଟପେଜରେ ପ୍ରଥମେ ପହଞ୍ଚିବ ସେ ନେଇ ପ୍ରତିଯୋଗିତା ମୂଳକ ଦ୍ରୃତ ଗାଡ଼ି ଚାଳନା ମନୋଭାବ ରଖି ଗାଡ଼ି ଚଲାଇବା ଯୋଗୁଁଁ ଏହିଭଳି ଅବସ୍ଥା ଉପୁଜିଥିବା ଜଣାପଡ଼ିଛି। ମହାଲକ୍ଷ୍ମୀ ନାମକ ବସ ପପୁ ବସ୍ କୁ ହଠାତ ଭାତପଡାଠାରେ ଦ୍ରୃତ ଗତିରେ ଓଭର ଟେକ୍ କରିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍ ମାଲିକ ମାନଙ୍କର ଟାଇମିଙ୍ଗ ଓ ଅଧିକ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ଏବଂ ପ୍ରତିଯୋଗିତା ମୂଳକ ଗାଡ଼ି ଚାଳନା ମନୋଭାବ ହିଁ ଏହି ଭଳି ଦୂର୍ଘଟଣାର କାରଣ ବୋଲି ଆହତ ଯାତ୍ରୀ କହିଛନ୍ତି। ତେବେ ଯାତ୍ରୀମାନଙ୍କ ଜୀବନକୁ ନେଇ ଏଭଳି ଖେଳ ଖେଳୁଥିବା ଥିବା ଏବଂ କମ୍ ସମୟ ମଧ୍ୟରେ ଅଧିକ ଅର୍ଥ ରୋଜଗାର କରିବାର ପ୍ରତିଯୋଗିତା ମନୋଭାବ ପୋଷଣ କରୁଥିବା ଡ୍ରାଇଭର ଓ ସଂପୃକ୍ତ ଗାଡ଼ି ମାଲିକଙ୍କ ଉପରେ ପ୍ରଶାସନର ରୋକ୍ ଲଗାଇବା ଅତି ଜରୁରୀ ହୋଇ ପଡ଼ିଛି। ବୋଲି ଯାତ୍ରୀ କହିଛନ୍ତି।


