ନାଉଗାଁ ବ୍ଲକର ଦୁଇ ଛାତ୍ରୀ କଳା ଓ ବାଣିଜ୍ୟ ବିଭାଗରେ ଜିଲ୍ଲା ଟପର୍
ନାଉଗାଁ (ଓ୍ବାଇଏନଏସ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି। ଏଥିରେ ନାଉଗାଁ ବ୍ଲକର କଳା ଓ ବାଣିଜ୍ୟ ବିଭାଗର ଦୁଇ ଛାତ୍ରୀ ଜଗତସିଂହପୁର ଜିଲ୍ଲା ଟପର୍ ହୋଇଛନ୍ତି। ଜଗତସିଂହପୁର ଏସଭିଏମ୍ କଲେଜର ଛାତ୍ରୀ ସୌଭାଗିନୀ ବିଶ୍ୱାଳ ଯୁକ୍ତ ୨ ବାଣିଜ୍ୟ ବିଭାଗରେ ୫୫୫ ନମ୍ବର ରଖି ଜିଲ୍ଲା ଟପର୍ ହୋଇଥିବା ବେଳେ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମୋନାଲିସା ସ୍ୱାଇଁ ଯୁକ୍ତ ୨ କଳା ବିଭାଗରେ ୫୪୮ନମ୍ବର ରଖି ଜିଲ୍ଲା ଟପର୍ ହୋଇଛନ୍ତି। ସୌଭାଗିନୀଙ୍କ ଘର କୋରୁଅ ପଂଚାୟତର ଧୂଆଁପଦା ଗ୍ରାମରେ। ତାଙ୍କ ବାପା ଭଗବାନ ବିଶ୍ୱାଳ ଜଣେ ଚାଷୀ ହୋଇଥିବା ବେଳେ ମାତା ସ୍ମିତାରାଣୀ ବିଶ୍ୱାଳ ଗୃହିଣୀ ଅଟନ୍ତି। ସୌଭାଗିନୀ ଏହି ସଫଳତା ପାଇଁ ବାପା, ମାଆ ଓ ବଡ ବାପା କିଶୋର ଚନ୍ଦ୍ର ବିଶ୍ୱାଳଙ୍କ ସହିତ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି। ଉଚ୍ଚ ଶିକ୍ଷା କରି ଚାର୍ଟାର୍ଡ ଆକାଉଂଟାଂଟ ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସେହିପରି ମୋନାଲିସାଙ୍କ ଘର ଓଷକଣା ପଂଚାୟତର ନୟାସିଙ୍ଗଡା ଗ୍ରାମରେ। ତାଙ୍କ ବାପା ଆଦିକନ୍ଦ ସ୍ୱାଇଁ ଭାରତର ଖାଦ୍ୟ ନିଗମ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ମାତା ରିନାଲତା ସ୍ୱାଇଁ ଗୃହିଣୀ ଅଟନ୍ତି। ମନୋଲିସାଙ୍କ ଏହି ସଫଳତାର ଶ୍ରେୟ ନିଜର ଦୃଢ ଆତ୍ମବିଶ୍ୱାସ, କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇଥିବା ବେଳେ ପରିବାର ସଦସ୍ୟ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ପ୍ରଦାନ କରିଛନ୍ତି। ଉଚ୍ଚ ଶିକ୍ଷା କରି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖିଥିବା ମତବ୍ୟକ୍ତ କରିଛନ୍ତି।