ଡ୍ୟୁଟି ଛାଡ଼ି ରେଷ୍ଟ ରୁମ୍‌ରେ ବିଶ୍ରାମ ନେବା ପଡିଲା ମହଙ୍ଗା, ଦୁଇ ଟ୍ରାଫିକ୍‌ କର୍ମଚାରୀ ନିଲମ୍ବିତ

କଟକ, (ଓ୍ବାଇଏନଏସ): ଡ୍ୟୁଟିରେ ଅବହେଳା କରିବା ଦୁଇ ଜଣ ଟ୍ରାଫିକ୍ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଡ୍ୟୁଟି ସମୟରେ ପୋଷ୍ଟ ଛାଡ଼ି ରେଷ୍ଟ ରୁମ୍ରେ ବିଶ୍ରାମ କରିବା ଅଭିଯୋଗରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନ୍ଦେଓ ଦୁଇ ଜଣଙ୍କୁ ନିଲମ୍ବନ କରିଥିଲେ । ତେବେ କର୍ମଚାରୀ ଦ୍ୱୟ ଡିସିପିଙ୍କୁ ଭେଟି ନିଜ ଭୁଲ୍ ଜଣାଇ ଏଭଳି ଆଉ କରିବେ ନାହିଁ ବୋଲି ଲିଖିତ ଭାବେ ଦେବା ପରେ ଡିସିପି ଦୁଇ କର୍ମଚାରୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । ଏହି ଘଟଣା ପରେ କଟକ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଏକପ୍ରକାର ଛନକା ପଶିଛି । ଗତ ଶନିବାର ଅପରାହ୍ନରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନ୍ଦେଓ ସତୀଚୌରା ଛକ ହୋଇ ବେଲିଭ୍ୟୁ ଛକ ଅଭିମୁଖେ ଆସୁଥିଲେ । ଏହି ସମୟରେ ଟ୍ରାଫିକ୍ ପୋଷ୍ଟରେ କର୍ମଚାରୀମାନେ ଠିକ୍ ଭାବେ ଡ୍ୟୁଟି କରୁଥିଲେ । କିଛି ସମୟ ପରେ ସେହି ରାସ୍ତାରେ ଫେରିବା ବେଳେ ସେଠାରେ ଡ୍ୟୁଟିରେ ଥିବା ହାବିଲ୍ଦାର ଗଣେଶ ଭୂୟାଁ ଏବଂ ଓଏପିଏଫ୍ କନେଷ୍ଟବଳ ଡିକି ଲାକ୍ରା ପୋଷ୍ଟ ଛାଡ଼ି ନିକଟ ରେଷ୍ଟ ରୁମ୍ରେ ବିଶ୍ରାମ ନେଉଥିବା ଏବଂ ଏହାର ସୁଯୋଗ ନେଇ ବହୁ ଗାଡ଼ି ରଂଗ୍ ରୁଟ୍‌ରେ ବା ଓଲଟା ରାସ୍ତାରେ ଯାଉଥିବା ଡିସିପି ଦେଖିଥିଲେ । ଏହା ଦେଖିବା ପରେ ଡିସିପି ତୁରନ୍ତ ଦୁଇ ଜଣଙ୍କୁ ଡ୍ୟୁଟିରୁ ନିଲମ୍ବନ କରିଥିଲେ । ଗତକାଲି ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ତେବେ ଆଜି ପୂର୍ବାହ୍ନରେ ଦୁଇ କର୍ମଚାରୀ କାର୍ଯ୍ୟାଳୟକୁ ଯାଇ ଡିସିପିଙ୍କୁ ଭେଟି ଗୁହାରି ଜଣାଇଥିଲେ । ଡ୍ୟୁଟିରେ ଅବହେଳା କରିଥିବା ବିଷୟ ସ୍ୱୀକାର କରିଥିଲେ । ଡ୍ୟୁଟିରେ ଅବହେଳା କରିଥିବାରୁ ଡିସିପି ସେମାନଙ୍କୁ ତାଗିଦ୍ ମଧ୍ୟ କରିଥିଲେ । ତେବେ ଆଗକୁ ଏଭଳି ଭୁଲ୍ କରିବେ ନାହିଁ ବୋଲି ଦୁଇ କର୍ମଚାରୀ ଲିଖିତ ଭାବେ ଡିସିପିଙ୍କୁ ପ୍ରଦାନ କରିବା ପରେ ସନ୍ଧ୍ୟାରେ ଦୁଇ କର୍ମଚାରୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଛି । ତେବେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି । ରବିବାରଠାରୁ ସହରର ପ୍ରାୟ ସବୁ ପୋଷ୍ଟରେ କର୍ମଚାରୀମାନେ ସଜାଗ୍ ହୋଇ ଡ୍ୟୁଟି କରୁଛନ୍ତି । ଠିକ୍ ସମୟରେ ଆସିବା ଓ ଠିକ୍ ସମୟରେ ପୋଷ୍ଟ ଛାଡ଼ିବା କାମ କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ