ଗଛ ଭଙ୍ଗାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକ ହାତାହାତି: ଦୁଇ ଆହତ
ହାଟଡିହି (ଓ୍ବାଇଏନଏସ): ଗଛ ଭଙ୍ଗାକୁ କେନ୍ଦ୍ରକରି ଗେଡ଼ମା ପଞ୍ଚାୟତ ଜଳସରପୁର ଓ ଡ଼ଅଁର ଗାଁ ଯୁବକ ମଧ୍ୟରେ ହାତାହାତି ହୋଇଥିବା ଜଣା ଯାଇଛି। ଏଥିରେ ଦୁଇ ଜଣ ଆହତ ହୋଇ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ଜଣା ଯାଇଛି। ମିଳିଥିବା ସୂଚନା ଅନୁଯାଇ ଜଳସରପୁର ଗ୍ରାମର ଜଣେ ଯୁବକ ନିଜ ଗାଁ ପିଲାଙ୍କୁ ଧରି ଭାଟିଆ ରୁ ଜଳସରପୁର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଗଛ ଲଗାଇଥିଲେ। ଡ଼ଅଁର ଗ୍ରାମର ଜଣେ ଯୁବକ ଆଜି ଅପରାହ୍ନରେ ଜେସିବି ମେସିନ ନେଇ ଯାଉଥିବା ସମୟରେ କିଛି ଗଛ ନଷ୍ଟ ହୋଇଥିଲା। ଏହାକୁ ନେଇ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହେବାସହ ହାତାହାତି ହୋଇଥିଲେ। ଡ଼ଅଁର ଗାଁର ଜଣେ ଯୁବକ ଜଳସରପୁର ଗାଁର ଜଣେ ଯୁବକକୁ ମାରି ମୁଣ୍ଡ ଫଟାଇ ଦେଇଥିଲେ। ଏ ଖବର ପ୍ରଚାରିତ ହେବା ମାତ୍ରେ ଜଳସରପୁର ଗାଁ ର ଅନେକ ଲୋକ ଶାଳଣିଆ ଆସି ମୁଣ୍ଡ ଫାଟିଥିବା ଯୁବକକୁ ଚିକିତ୍ସା କରାଇବା ସହ ତାକୁ ମାରିଥିବା ଡ଼ଅଁର ଗାଁର ଯୁବକକୁ ପିତାପିଟି କରିବାରୁ ତାର ମଧ୍ୟ ମୁଣ୍ଡ ଫାଟି ଯାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନଥିବା ଜଣା ଯାଇଛି।