ପ୍ରଶାସନର ଉଦ୍ୟମରେ ଫେରିଲେ ଦୁଇ ଦାଦନ ଯୁବତୀ
ହାଟଡିହି (ବିକାଶ ବିଶ୍ବାଳ): ଦୁଇ ବର୍ଷ ହେଲା ଦାଦନ ଖଟିବାକୁ ଯାଇଥିବା ଦୁଇ ଯୁବତୀ ଆଜି ଘରକୁ ଫେରିଛନ୍ତି। ଗତ ୧୫ତାରିଖ ଦିନ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଯୁବତୀ ଦ୍ବୟଙ୍କୁ ଓଡ଼ିଶା ପଠାଇବା ପାଇଁ ସହମତି ପ୍ରକାଶ କରିଥିବା ବେଳେ ବସ ଚାଲୁ ନଥିବାରୁ ଫେରିବାରେ ବିଳମ୍ବ ଘଟିଥିଲା। ପ୍ରଶାସନ ର ଉଦ୍ୟମ କ୍ରମେ ଆଜି ଘରକୁ ଫେରିବା ପରେ ପରିବାର ରେ ଓ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଦୁଇ ଝିଅ ଫେରିବାରେ ଗଣମାଧ୍ୟମର ଭୂମିକାକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମ ବନ୍ଧ ସାହିର ପିତାମ୍ବର ହୋ ଏବଂ ସୁଦି ହୋଙ୍କ ଝିଅ ସଲମା ହୋ (୨୩) ଏଵଂ ସାର ହୋ (୨୫) ଗତ ଦୁଇବର୍ଷ ତଳେ ଗୁଜୁରାଟ କାମ କରିବାକୁ ଯାଇଥିଲେ। ବାଲେଶ୍ଵରର ଜଣେ ଦଲାଲଙ୍କ ସାହାଯ୍ୟରେ ସେଠାରେ ଯାଇ କାମ କରୁଥିବା ବେଳେ ଉପଯୁକ୍ତ ପାରିଶ୍ରମିକ ନଦେଇ ଧମକ ଚମକ ଦେବାରୁ ୪ଜଣ ଲୁଚି ପଳାଇ ଆସିଥିଲେ। କିନ୍ତୁ ଏ ଦୁଇ ଯୁବତୀଙ୍କୁ କମ୍ପାନୀ କର୍ତୁପକ୍ଷ ଛାଡି ନଥିଲେ। ଏପରିକି ଗତ ୬ମାସ ହେଲା ଟେଲିଫୋନ କରାଇ ଦେଉ ନଥିଲେ। ଫଳରେ ଘରେ ଥିବା ବୃଦ୍ଧ ବାପା ମା ଚିନ୍ତାରେ ପଡ଼ିଥିଲେ। ଏ ସଂପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅବଗତ କରାଇ ଥିଲେ। ବଞ୍ଚୋ ଗ୍ରାମର ସମାଜସେବୀ ସୁଶାନ୍ତ ବିଶ୍ଵାଳ ଏହାକୁ ଟୁଇଟ କରି ଗୁଜୁରାଟର ମୋରବିଲ୍ ଏସ.ପି ଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତୁରନ୍ତ ହସ୍ତକ୍ଷେପ କରିଥିଲେ ଏବଂ ଗାଁରେ ପହଞ୍ଚି ବୃଦ୍ଧ ପିତା ଓ ମାତାଙ୍କ ବୟାନ ରେକର୍ଡ କରିଥିଲେ। ଫୋନ ଯୋଗେ ଗୁଜରାଟ ମୂର୍ବି ଜିଲ୍ଲା ର ପୋଲିସ ସୁପରିଟେଣ୍ଡେଟଙ୍କ ସହ କଥା ହୋଇଥିଲେ। ମୋରବିଲ୍ ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ଓ ବ୍ଲକ ଲେବର ଅଫିସର ଶାଶ୍ଵତ ପ୍ରୀତମ ଙ୍କ ପ୍ରଚେଷ୍ଟାରେ ଯୁବତୀ ଦ୍ବୟ ଆଜି ବସ ଯୋଗେ ଗାଁକୁ ଫେରିଛନ୍ତି। କିନ୍ତୁ ଯୁବତୀ ଦ୍ଵାୟଙ୍କୁ ମାସକୁ ୧୪ହଜାର କରି ମଜୁରୀ ଦେବାକୁ କହିଥିବା ବେଳେ ମାତ୍ର ସେଠାରେ ଦୁଇବର୍ଷ ଖଟାଇ ସମୁଦାୟ ୧୦ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ସେଟ୍ ଦେଇ ବିଦା କରିଦେଇଛି ବୋଲି ଯୁବତୀ ଦ୍ବୟ ଗଣମାଧ୍ୟମକୁ କହିଛନ୍ତି।