ପାକିସ୍ତାନ ସପକ୍ଷରେ ନାରା ଦେଇ କଟକର ଦୁଇ ଯୁବକ ଗିରଫ
କଟକ, (ଓ୍ବାଇଏନଏସ): ପାକିସ୍ତାନକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା । ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଫସିଲେ କଟକର ଦୁଇ ଯୁବକ ।ଭାରତ-ପାକିସ୍ତାନ ଉତ୍ତେଜନାମୂଲକ ପରିସ୍ଥିତି ଭିତରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଭିଡ଼ିଓ ରେକର୍ଡ଼ କରିବା ସହ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଭାଇରାଲ କରିଥିଲେ ଦୁଇ ଯୁବକ । ଏନେଇ କଟକ ଚଉଳିଆଗଞ୍ଜ ଥାନାର ଜଣେ ପୋଲିସ ଅଧିକାରୀ ନିଳାଞ୍ଚଳ ଜେନା ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଆକ୍ସନ ମୋଡ଼କୁ ଆସିଥିଲା ଏବଂ ସମ୍ପୃକ୍ତ ଦୁଇ ଯୁବକକୁ ଗିରଫ କରିଥିଲା । ତେବେ ଗିରଫ ଦୁଇ ଜଣ ହେଲେ ସୌରଭ ସାହୁ ଏବଂ ଗୌତମ ଲେଙ୍କା । ଏତଲା ଆଧାରରେ ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ସୌରଭ ସାହୁ ଏବଂ ଗୌତମ ଲେଙ୍କା ।ଉଭୟ ମହାନଦୀ ବିହାରର ବାସିନ୍ଦା ଅଟନ୍ତି । ଗତ ୧୫ ତାରିଖ ରାତି ପ୍ରାୟ ସାଢ଼େ ୯ ଟାରେ, ପୋତାପୋଖରୀ ନିକଟରେ ଏହି ଭିଡିଓ କରାଯାଇଥିଲା ।ସୌରଭ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଉଥିବା ବେଳେ ଗୌତମ ଏହାକୁ ନିଜ ମୋବାଇଲରେ ରେକଡ଼ିଂ କରିବା ସହ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଭାଇରାଲ କରିଥିଲେ । ତେବେ ଏହି ସମ୍ବେଦନଶୀଳ ମାମଲାକୁ ପୋଲିସ ଅତି ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଦୁଇଟି ମୋବାଇଲକୁ ମଧ୍ୟ ଜବତ କରିଛି ପୋଲିସ । ସେପଟେ ଉଭୟ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଏପରି କାର୍ଯ୍ୟ କରିବାକୁ ବିଭିନ୍ନ ମହଲରେ କଡା ନିନ୍ଦା କରାଯାଇଛି । କେବଳ ସେତିକି ନୁହେଁ ଗୌତମ ଏକ ବନ୍ଧୁକ ଧରିଥିବା ଫଟୋକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହି ବନ୍ଧୁକ ଅସଲି ହୋଇଥିବା ବେଳେ ତାଙ୍କୁ ଏହି ବନ୍ଧୁକ କିଏ ଦେଲା ଏବଂ ଏପରି ଫଟୋ ଛାଡିବା ପଛର ଉଦ୍ଧେଶ୍ୟ କ’ଣ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।