ବର୍ଷା ଦିନ ପୂର୍ବରୁ ଡ୍ରେନ ନିର୍ମାଣ ଶେଷ ହେବା ନେଇ ଅନିଶ୍ଚିତତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବର୍ଷା ଦିନ ପୂର୍ବରୁ ଭାଙ୍ଗି ପଡିଥିବା ଡ୍ରେନ ଗୁଡ଼ିକ ମରାମତି କରି ବର୍ଷା ପାଣି ନିଷ୍କାସନ କରିବା ର ବ୍ୟବସ୍ଥା କରିବା ସହିତ ଯେଉଁ ଡ୍ରେନ ନୂତନ ଭାବରେ ନିର୍ମାଣ ହେଉଛି ତାକୁ ବର୍ଷା ଦିନ ପୂର୍ବରୁ ଶେଷ କରିବା ପାଇଁ ସରକାରୀ ନିର୍ଦେଶ ରହିଛି। ହେଲେ ନୂତନ ଭାବରେ ନିର୍ମାଣ ହେଉଥିବା ଡ୍ରେନ ଗୁଡ଼ିକ ଠିକଣା ସମୟରେ ଶେଷ ହେଉ ନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ଛକଠାରୁ ଉଖୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ପିଡବ୍ଲ୍ୟୁଡି ରାସ୍ତା ବ୍ଲକ ନିକଟରୁ ବଜାର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କାମ ଆଜକୁ ଛଅ ମାସ ପୂର୍ବରୁ ଆରମ୍ଭ ହୋଇଛି। କିନ୍ତୁ ଡ୍ରେନ କାମକୁ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଦିଗରେ ଆଦୌ ଗୁରୁତ୍ବ ଦେଉନାହାନ୍ତି ଯାହା ଫଳରେ ଡ୍ରେନ ନିର୍ମାଣ କାମ କରୁଥିବା ଠିକାଦାର ତାର ଇଚ୍ଛା ହେଲେ କାମ କରୁଛି। ଦିନ କେଇଟା ପରେ ମୈସୁମୀ ବର୍ଷା ଆରମ୍ଭ ହେବ ବର୍ଷା ପୂର୍ବରୁ ଡ୍ରେନ ନିର୍ମାଣ କାମ ଶେଷ ନହେଲେ ବର୍ଷା ପାଣି ପ୍ରବାହିତ ହେବାର ଘୋର ଅସୁବିଧା ସୃଷ୍ଟି ହେବାକୁ ଯାଉଛି। ଦାୟିତ୍ଵ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ ନିଦ୍ଧାରୀତ ସମୟ ମଧ୍ୟରେ କାମକୁ ଶେଷ କରିବା ଦିଗରେ କାହିଁକି ଗୁରୁତ୍ବ ଦେଉ ନାହାନ୍ତି ବୋଲି ଏଠାରେ ପ୍ରଶ୍ନ ଉଠୁଛି। ଏଠାରେ ଡ୍ରେନ ନିର୍ମାଣ କାମ ସହିତ ରାସ୍ତା ପ୍ରଶସ୍ତିକରଣ ହେଉଛି କିନ୍ତୁ ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ମଧ୍ୟ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ। ଜନସାଧାରଣ ଙ୍କ ସୁବିଧା ପାଇଁ ସରକାର ତରଫରୁ ପ୍ରତି ବର୍ଷ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ସଠିକ ସମୟରେ କରିବା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି ସତ କିନ୍ତୁ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ତଦାରଖ କରୁଥିବା ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ମାନେ ନିଜର କାର୍ଯ୍ୟ କୁ ଦାୟିତ୍ଵ ର ସହିତ ଠିକଣା ସମୟରେ ଶେଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ଷା ଆରମ୍ଭ ହେବା ପୂର୍ବରୁ ଡ୍ରେନ କାମ କୁ ଶେଷ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫରୁ ଦାବି ହେଉଛି।