ଅବିସ୍ମରଣୀୟ ଉଦାହରଣ
ଗତ ବୁଧବାର ଦିନଟି ଭାରତୀୟ ସଂସଦୀୟ ଗଣତନ୍ତ୍ର ଇତିହାସରେ ଏକ ଅବିସ୍ମରଣୀୟ ଦିବସ ହୋଇ ରହିବା ସହ ନୂତନ ଉଦାହରଣ ସୃଷ୍ଟି କରିଛି ବୋଲି କହିଲେ ଅତିରଞ୍ଜିତ ହେବ ନାହିଁ। ଗୁରୁବାର ଦିନ ବହୁ ଚର୍ଚ୍ଚିିତ ୱାକଫ ସଂଶୋଧନ ବିଲ-୨୦୨୫ ତଥା ୟୁନିଫାଏଡ ୱାକଫ ମ୍ୟାନେଜମେଣ୍ଟ ଏମ୍ପାୱାରମେଣ୍ଟ ଏଫିସିଏନ୍ସି ଆଣ୍ଡ ଡେଭଲପମେଣ୍ଟ (ଉମ୍ନିଦ) ବିଲ ଉପରେ ଲୋକସଭାରେ ଦୀର୍ଘ ୧୬ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ସରଗରମ ଆଲୋଚନା ପରେ ଗୃହୀତ ହୋଇଛି। କହିବା ବାହୁଲ୍ୟ ଯେ, ବିଲକୁ ଶାସକ ମେଣ୍ଟ ତଥା ବିଜେପି ନେତୃତ୍ୱାଧୀନ ଏନଡିଏ ଦୃଢ ସମର୍ଥନ କରି ମତାମତ ରଖିଥିବାବେଳେ ବିରୋଧି ମେଣ୍ଟ ତଥା ‘ଇଣ୍ଡିଆ’ ମେଣ୍ଟ ଦୃଢ ବିରୋଧ କରିଥିଲା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ବିରୋଧି ଦଳଗୁଡିକ ପୂର୍ବରୁ କୌଣସି ବିଲକୁ ବିରୋଧ କରିବା ବେଳେ ଯେପରି ବିଲକୁ ଚିରି ଫିଙ୍ଗିବା, ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା, ଶେଷରେ କକ୍ଷତ୍ୟାଗ କରିବା ଭଳି କୌଣସି ଘଟଣା ଘଟିନଥିଲା। ବରଂ ବିଲର ପ୍ରତ୍ୟେକ ଧାରା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ। ପ୍ରତ୍ୟେକ ଦଳର ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତ ରଖିଥିଲେ। ଆଲୋଚନା ଶେଷରେ ବିଭାଗୀୟ ମନ୍ତ୍ରୀ ଉତର ରଖିଥିଲେ। କେବଳ ଏତିକି ନୁହେଁ ବିରୋଧି ଦଳର ସଂଶୋଧନ ପ୍ରସ୍ତାବ ଗୁଡିକ ବାଚନିକ ଭୋଟରେ କାଟ୍ ଖାଇଯାଇଥିଲା ବେଳେ ଶାସକ ଦଳର ଏକ ସଂଶୋଧନ ପ୍ରସ୍ତାବ ବାଚନିକ ଭୋଟରେ ଗୃହୀତ ହୋଇଥିଲା। ଶେଷରେ ବିରୋଧି ଦଳର ଦାବି ଅନୁଯାୟୀ ବିଲ୍ ଉପରେ ଭୋଟ ଗ୍ରହଣ କରାଯାଇଥିଲା। ବିଲ୍ ସପକ୍ଷରେ ୨୮୮ଟି ଭୋଟ ମିଳିଥିବାବେଳେ ବିରୁଦ୍ଧରେ ୨୩୨ଟି ଭୋଟ ମିଳିଥିଲା। ସଂଖ୍ୟାଧିକ ଭୋଟରେ ବିଲଟି ଗୃହର ଅନୁମୋଦନ ଲାଭ କରିଥିଲା। ତେବେ ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି, ଉଭୟ ଶାସକ ଓ ବିରୋଧି ଦଳର କୌଣସି ସଦସ୍ୟ କ୍ରସ ଭୋଟିଂ କରିନଥିବା କିମ୍ବା ଗୃହରେ ଉପସ୍ଥିତ ଥାଇ ମତଦାନରୁ ବିରତ ରହିନଥିଲେ। ହୁଇପ ଯୋଗୁଁ ଉଭୟ ଶାସକ ଓ ବିରୋଧି ଦଳର ସଦସ୍ୟାମାନେ ବିଲ୍ ଗୃହିତ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ଥିଲେ। କେବଳ ଲୋକସଭା ନୁହେଁ, ତା ପର ଦିନ ଅର୍ଥାତ ଗୁରୁବାର ଦିନ ମଧ୍ୟ ରାଜ୍ୟସଭାର ଏହାର ପୁନରାବୃତି ଘଟିଥିଲା। ଉଭୟ ଶାସକ ଓ ବିରୋଧି ଦଳର ସଦସ୍ୟମାନେ ଗୃହରେ ଉପସ୍ଥିତ ରହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶାସକ ଏନଡିଏ କିମ୍ବା ବରୋଧି ଇଣ୍ଡିଆ ମେଂଟର ଅଂଶୀଦାର ନଥିବା ବିଜେଡି, ୱାଇଏସଆର କଂଗ୍ରେସ ପରି ବହୁ ଆଂଚଳିକ ଦଳ ଯେ କି ଉଭୟ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା ରକ୍ଷା କରି ଆସୁଛନ୍ତି, ଗୃହରେ ରାତି ୩ଟା ପର୍ଯ୍ୟନ୍ତ ଉପସ୍ଥିତ ଥିବା ଯୋଗୁଁ ଲକ୍ଷ୍ୟ କରାଯାଇଥିଲା। ଯାହାକି ଏକ ସ୍ୱାଗତଯୋଗ୍ୟ ଆଭିମୁଖ୍ୟ ବୋଲି କୁହାଯାଇପାରିବ। ସେହିଦିନ ଅର୍ଥାତ ବୁଧବାର ଦିନ ଓଡିଶା ବିଧାନସଭାର ବଜେଟ ଅଧିବେଶନରେ ଅନ୍ତିମ ଦିବସରେ ବହୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୫ ଉପରେ ବଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଶାସକ ଓ ବିରୋଧି ଦଳର ସଦସ୍ୟ ଗୃହରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଧେୟକ ଉପରେ ଆଲୋଚନାବେଳେ ହଟ୍ଟଗୋଳ କିମ୍ବା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇନଥିଲା। ସଦସ୍ୟମାନେ ବିଧେୟକ ଉପରେ ନିଜର ସୁଚିନ୍ତିତ ମତ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଧାନସଭା ଇତିହାସରେ ଏହା ହେଉଛି ଚତୁର୍ଥ ରାତିତମାମ ଅଧିବେଶନ, ଯେଉଁଠି କେବଳ ଆଲୋଚନା, ପରାମର୍ଶ, ପ୍ରସ୍ତାବ ଥିଲା। ହଟ୍ଟଗୋଳ କିମ୍ବା ଧସ୍ତାଧସ୍ତି, ଘଂଟ ପିଟା ନଥିଲା। ସ୍ମରଣଯୋଗ୍ୟ ଯେ, ବିଦାୟୀ ବଜେଟ ଅଧିବେଶନରେ ବିରୋଧି ଦଳର ହଟ୍ଟଗୋଳ ଯୋଗୁଁ ୧୮ ଦିନରେ ଅଧିବେଶନ ମାତ୍ର ୩୧ଘଂଟା ବସିଥିଲା। ତେବେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରୁଥିବା କଂଗ୍ରେସର ସମସ୍ତ ୧୪ଜଣ ସଦସ୍ୟଙ୍କୁ ସପ୍ତାହକ ପାଇଁ ବାଚସ୍ପତି ନିଲମ୍ବନ କରିବା ପରେ କଂଗ୍ରେସର ଅନୁପସ୍ଥିତିରେ ଅଧିବେଶନ ଚାଲିଥିଲା। ଏହା ନିସନ୍ଦେହ ଯେ, ଏବେ ସଂସଦ ହେଉ ବା ବିଧାନସଭା ହେଉ ଅଧିବେଶନ ସମୟରେ କଥାକଥାକେ ବିରୋଧି ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ, ନାରାବାଜୀ କରିବା ଏକ ପରମ୍ପରାରେ ପରିଣତ ହୋଇଯାଇଛି। ହଟ୍ଟଗୋଳ, ନାରାବାଜୀ, କକ୍ଷତ୍ୟାଗ ଯୋଗୁଁ ବିନା ଆଲୋଚନା, ବିତର୍କରେ ବିଲ୍ ଗୁଡିକୁ ଅତିରଂଜିତ ଭାବେ ସରକାର ଗୃହିତ କରାଇବା ନିମୟିତ ଘଟଣାରେ ଘଟିଛି। ଯାହାର ପରିଣତି ସ୍ୱରୁପ ଆଇନକୁ ବାରମ୍ବାର ସଂଶୋଧନ କରିବାକୁ ସରକାର ବାଧ୍ୟ ହେଉଥିବାବେଳେ କେତେକ ଅଦାଲତର ସମୀକ୍ଷା ପରିଭୁକ୍ତ ହେଉଛି। ଲୋକସଭାରେ ୱାକଫ ସଂଶୋଧନ ବିଲ୍, ଏବ ରାଜ୍ୟ ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ଯେପରି ଦୀର୍ଘ ୧୬ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ରାତିତମାମ ସକରାତ୍ମକ ଏବଂ ଗଠନମୂଳକ ଆଲୋଚନା ପରେ ଗୃହର ଅନୁମୋଦନ ଲାଭ କଲା ତାହା ଅନନ୍ୟ ଏବଂ ଏକ ଉଦାହରଣ ସୃଷ୍ଟି କରିଛି। ବୋଧହୁଏ ଗଣତନ୍ତ୍ରର ପବିତ୍ର ମନ୍ଦିର ଭିତରେ ନାଟକବାଦୀର ଯବନିକା ପଡିବା ମନେହୁଏ। ଉଲ୍ଲେଖଯୋଗ୍ୟ ଯେ, କ୍ରମାଗତ ହଟ୍ଟଗୋଳ ଯୋଗୁଁ ସଂସଦ, ବିଧାନସଭା ଓ ଲୋକପ୍ରତିନିଧିମାନଙ୍କ ଉପରୁ ଜନସାଧାରଣ ଆଶା, ଭରସା ହରାଉଥିବାବେଳେ ବୁଧବାରର ଅଧିବେଶନ ପୁନର୍ବାର ଗଣତାନ୍ତ୍ରୀକ ନୀତି ନିୟମ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରତିଷ୍ଠା କରିବା ଆଶା ସଂଚାର କରେ। ତେବେ ସରକାର ସକରାତ୍ମକ ଓ ବିରୋଧି ଦଳ ଗଠନମୂଳକ ଆଭିମୁଖ୍ୟ ପୋଷଣ କରିବା ଜରୁରୀ, ଯାହାକି ସଂସଦୀୟ ଗଣତନ୍ତ୍ରର ମର୍ଯ୍ୟଦାକୁ ଅକ୍ଷୁର୍ଣ୍ଣ ରଖିବାରେ ସହାୟକ ହେବ।
ସୌଭାଗ୍ୟ ରଞ୍ଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୭୯୭୮୬୬୬୪୦୩