ଦୁର୍ଘଟଣା ପରେ ଶଯ୍ୟାଶାୟୀ ଉପେନ୍ଦ୍ର, ସ୍ଵାମୀଙ୍କ ଚିକିତ୍ସା ଓ ପରିବାର ଚଳାଇବା ଚିନ୍ତାରେ ସ୍ତ୍ରୀ
ହାଟଡିହି (ବିକାଶ ବଶ୍ବାଳ) ସମୟ ଚକ୍ର ଘୁରି ବୁଲୁଛି, କେତେବେଳେ ଯେ କାହା ଭାଗ୍ୟରେ କଣ ଘଟିବ ତାହା କହିହେବ ନାହିଁ। ଯେପରି ଘଟିଛି ପନ୍ଦାଡୋ ଗ୍ରାମର ଉପେନ୍ଦ୍ରଙ୍କ କ୍ଷେତ୍ରରେ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପନ୍ଦାଡୋ ଗ୍ରାମ। ଗାଁ ର ଉପେନ୍ଦ୍ର ସେଠୀ ୧୮ବର୍ଷ ହେଲା ତାମିଲନାଡୁର ଇ ରୋଡ ରେ ରହି ଶକ୍ତି ଅଟୋ କମ୍ପାନୀ ରେ କାମ କରୁଥିଲେ। ତାଙ୍କ ପରିବାର କହିଲେ ଘରେ ସ୍ତ୍ରୀ, ୯୦ବର୍ଷୀୟ ଶ୍ବଶୁର ଓ ତିନି ଝିଅ। ମାସକୁ ଯେତିକି ଦରମା ପାଉଥିଲେ ସେତିକିରେ ପରିବାର ଟି ଦୁଃଖ କଷ୍ଟରେ ଚଳି ଯାଉଥିଲା। ଘରେ ମାତ୍ର ୧୦ଡିସିମିଲ ଚାଷଜମି ଥିବା ବେଳେ ଆବାସ ଯୋଜନାରେ ପାଇଥିବା ଘର। ବଡ଼ଝିଅ ପଡ଼ୋଶୀଙ୍କ ସହଯୋଗରେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଆଇ.ଏମ.ବି ପଢ଼ୁଥିବା ବେଳେ ମଝିଆଁ ଝିଅ ହାଟଡିହି କଲେଜରେ ଯୁକ୍ତ୨ରେ ପଢ଼ୁଛି। ସାନ ଝିଅ ଏବର୍ଷ ଆଦର୍ଶ ବିଦ୍ୟାଳୟରେ ପଢ଼ିବ। କିନ୍ତୁ ଉପେନ୍ଦ୍ରଙ୍କ ଦୁର୍ଘଟଣା ଘରର ହସ ଖୁସି ଛଡ଼ାଇ ନେଇଛି। ଗତ ଜାନୁୟାରୀ ମାସରେ ଉପେନ୍ଦ୍ରଙ୍କ ବ୍ରେନ୍ ଷ୍ଟ୍ରୋକ ହେବା ପରେ ଏବେ ସେ ଶଯ୍ୟାଶାୟୀ। କମ୍ପାନୀ ର ଯତ୍ କିଞ୍ଚିତ ସହଯୋଗ ଓ ପତ୍ନୀ ଧାର କରଜ କରି ତାମିଲନାଡ଼ୁ ରେ ଅପରେସନ କରିବା ପରେ ଅର୍ଥାଭାବରୁ ଘରକୁ ନେଇ ଆସିଛନ୍ତି ଉପେନ୍ଦ୍ରଙ୍କୁ। ତିନିମାସ ହେଲା କମ୍ପାନୀରେ କାମ କରୁନଥିବା କାରଣରୁ କମ୍ପାନୀ କର୍ତ୍ତୃପକ୍ଷ ଯୋଗାଇ ଦେଉଥିବା ଚିକିତ୍ସା ସହାୟତା ଏପ୍ରିଲ ମାସରୁ ବନ୍ଦ କରିଦେଲେ। ଫଳରେ ପ୍ରତି ମାସ ୧୫ହଜାରରୁ ଊର୍ଦ୍ଧ୍ବ ଟଙ୍କା ହେଲେ ଯାଇ ତାଙ୍କର ଚିକିତ୍ସା ହେବ। ଗୋଟିଏ ପଟେ ତିନି ତିନୋଟି ଛୁଆଙ୍କ ପଢା ଖର୍ଚ୍ଚ, ଘରେ ବୃଦ୍ଧ ବାପା ଓ ଏପଟେ ସ୍ଵାମୀଙ୍କ ଚିକିତ୍ସା ସବୁ ପତ୍ନୀ କୁନ୍ତଳା ସେଠୀଙ୍କ ଉପରେ। ଅନ୍ୟ ପେଟ ଧାର କରଜ ଆଣିଥିବା ଲୋକେ ଏବେ ମାଗିବା ଆରମ୍ଭ କଲେଣି। ଘରେ ବି ରୋଜଗାରର କୌଣସି ପନ୍ଥା ନଥିବାରୁ କିପରି ଏସବୁ ଭରଣା କରାଯିବ ସେନେଇ ଚିନ୍ତାରେ ପଡ଼ିଛନ୍ତି କୁନ୍ତଳା। ଏନେଇ କୁନ୍ତଳା ମୂଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ରୁ ସହାୟତା ପାଇଁ ନିବେଦନ କରିଥିଲେ। ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଗତ ୧୦ତାରିଖ ଦିନ କୁନ୍ତଳା ସହିତ ଟେଲିଫୋନ ମାଧ୍ୟମରେ କଥା ହୋଇ ସରକାରୀ ନିୟମାନୁଯାୟୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ପକ୍ଷରେ କୌଣସି ବେସରକାରୀ ସଙ୍ଗଠନ ନଚେତ ବ୍ୟକ୍ତିବିଶେଷ ତାଙ୍କୁ ସହଯୋଗର ହାତ ବଢ଼ାଇବାକୁ କୁନ୍ତଳା ନିବେଦନ କରିଛନ୍ତି। ଯଦି କୌଣସି ବ୍ୟକ୍ତି ସହଯୋଗ କରିବାକୁ ଚାହିଁବେ ତେବେ ବ୍ୟାଙ୍କ ଅଫ ଇଣ୍ଡିଆ ଏକାଉଣ୍ଟ ନମ୍ବର 542510110013711 , Bkid 0005408ରେ ଅଥବା ଫୋନ ପେ ୯୮୨୭୮୦୮୦୧୬ ରେ ସହଯୋଗ କରିବାକୁ କୁନ୍ତଳା ନିବେଦନ କରିଛନ୍ତି।