ନାଉଗାଁ ବ୍ଳକରେ ମିଳୁନି ୟୁରିଆ :ଚାଷୀ ଅସନ୍ତୋଷ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଯେତିକି ମାତ୍ରାରେ ସାର ବ୍ଳକକୁ ଯୋଗାଇ ଦିଆଯାଉଛି ତାହା ସମୁଦ୍ରକୁ ଶଙ୍ଖେ ପରି ଲାଗୁଛି। ଯାହା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସରକାରଙ୍କ ତରଫରୁ ସେବା ସମବାୟ ସମିତି ଗୁଡିକ ମାଧ୍ୟମରେ ସାର ଯୋଗାଇ ଦେବା ପାଇଁ ନିୟମ ରହିଥିବା ବେଳେ ବର୍ତମାନ ସୁଦ୍ଧା ଆବଶ୍ୟକୀୟ ପରିମାଣର ସାର ଯୋଗାଇ ଦିଆଯାଇ ନଥିବାରୁ ଚାଷୀମାନେ ଲମ୍ବା ଧାଡିରେ ରାତି ଅର୍ଦ୍ଧରୁ ଠିଆ ହୋଇ ସାର ନପାଇ ଘରକୁ ନିରାଶ ହୋଇ ଫେରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଏହି ବ୍ଲକର ଡେରିକି ସେବା ସମବାୟ ସମିତିରେ। ଏହି ସମିିତିରେ ଚାଷୀଙ୍କ ତୁଳନାରେ ସାର ପରିମାଣ କମ ଥିବାରୁ ଗଣ୍ଡଗୋଳର ଆଶଙ୍କା ନେଇ ସାର ବଂଟନକୁ ଡେରିକି ସମବାୟ ସମତି ତରଫରୁ ବନ୍ଦ କରାଯାଇଥିବା ଜଣାଯାଇଛି। ବ୍ଳକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ରଙ୍କ ସୂଚନା ମୁତାବକ ଉକ୍ତ ବ୍ଳକରେ ୭ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଚଳିତ ବର୍ଷ ଶାରଦ ଧାନ ଚାଷ କରାଯାଇଛି। ଚାଷୀମାନେ ଧାନ ରୋଇବା ପୂର୍ବରୁ ଗ୍ରୋମର,ପଟ୍ଟାସ ଓ ୟୁରିଆ ସାର ପକାଇଥିବା ବେଳେ ପରେ କେବଳ ୟୁରିଆ ସାର ପକାଇଥାନ୍ତି। ସେହିପରି ଧାନ ଥୋଡ ବାହାରିବା ପୂର୍ବରୁ ପୁନର୍ବାର ୟୁରିଆ ସାର ବ୍ୟବହାର କରାଯାଇଥାଏ। ଚାଷ ପାଇଁ ୟୁରିଆ ସାରର ଗୁରୁତ୍ୱ ରହିଥିବା ବେଳେ ବର୍ତମାନ ୟୁରିଆର ସଙ୍କଟ ଚାଷୀକୁ ଚିନ୍ତାରେ ପକାଇ ଦେଇଛି। ବ୍ଳକରେ ବର୍ତମାନ ସୁଦ୍ଧା ୪୩୭ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକ ଥିବା ବେଳେ ତିରୁଣା ଓ ଡେରିକି ସମବାୟ କେନ୍ଦ୍ରକୁ ୧୧୧ ପ୍ୟାକେଟ ହିସାବରେ ୧୨୦ ମେଟ୍ରିକ ଟନ ସାର ଯୋଗଇ ଦିଆଯାଇଛି। କମ ପରିମାଣର ସାର ଥିବାରୁ ଉକ୍ତ ସାର ବଂଟନ କରାଯାଇ ପାରୁନାହିଁ। ସରକାରଙ୍କ ତରଫରୁ ୬ଟି ସମବାୟ କେନ୍ଦ୍ର ଓ ୧୩ ଟି ସରକାରୀ ସ୍ୱୀକୃତିପ୍ରାପ୍ତ ଦୋକାନରେ ସାର ଗଚ୍ଛିତ ରଖିବାର ନିୟମ ରହିଥିଲେ ମଧ୍ୟ ସାର ନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁ ନଥିବା ଜଣାଯାଇଛି। ଆବଶ୍ୟକ ସମୟରେ ଧାନରେ ୟୁରିଆ ସାର ପକା ନ ଗଲେ ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଉକ୍ତ ବ୍ଳକକୁ ସାର ଯୋଗଇ ଦେବା ପାରଁ ବିଭିନ୍ନ ପଂଚାୟତର ଚାଷୀମାନେ ପ୍ରଶସାନ ନିକଟରେ ଦାବି କରିଛନ୍ତି। ସାର ଯୋଗାଣ ସଂପର୍କରେ ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ପାତ୍ରଙ୍କୁ ପଚାରିବାରେ ସାର ସଂର୍ପକରେ ଜିଲା କୃଷି ଅଧିକାରୀଙ୍କ ସହ କଥା ହୋଇଥିଲି ସାର ଆସିବା ପରେ ବ୍ଳକକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି।