ଉତ୍କଳ କେଶରୀ ମହୋତ୍ସବ ପ୍ରସ୍ତୁତି ଓ ପ୍ରତିଭା ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି): ନବ ଉତ୍କଳର ନିର୍ମାତା ପୂର୍ବତନ ମୁଖ୍ୟମନ୍ତ୍ରୀ,ବମ୍ବେର ରାଜ୍ୟପାଳ, ବିଶିଷ୍ଠ କୁଟନୈତିଜ୍ଞ ଡ.ହରେକୃଷ୍ଣ ମହତାବଙ୍କ ନାମରେ ଆୟୋଜିତ ୧୩ ତମ ଉତ୍କଳ କେଶରୀ ଆଗରପଡା ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଓ ସମ୍ବର୍ଦ୍ଧନା ସଭା ଆଜି ଭଦ୍ରକ ଜିଲ୍ଲା ଆଗରପଡା ପୁର୍ତବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ମହୋତ୍ସବ କମିଟିର ସମ୍ପାଦକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ଆୟୋଜିତ ସଭାକୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ପୂର୍ବତନ ବନ୍ତ ବ୍ଲକ ସଭାପତି ତଥା ସମାଜସେବୀ ନାରାୟଣ ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ । ଏଥିରେ ଆଗରପଡା ଭାରପ୍ରାପ୍ତ ଥାନାଧିକାରୀ ସୁଜାତା ଖମାରୀ,ସ୍ତମ୍ଭକାର ତଥା ଉପଦେଷ୍ଟା ସୁବୋଧ କୁମାର ସାହୁ,ଗୋପିନାଥ ପାଢୀ, ଶିକ୍ଷକ ପଞ୍ଚାନନ ପୃଷ୍ଟି,ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି ତଥା ଉପଦେଷ୍ଟା କୈଳାସ ଚନ୍ଦ୍ର ଧଳ,ସମ୍ପାଦକ ରଞ୍ଜନ କୁମାର ଦାସ, ଅଧ୍ୟାପିକା ପ୍ରତିମା ସାହୁ,ଅଧ୍ୟାପକ ଚିରଞ୍ଜିବୀ ଦାସ, ମହୋତ୍ସବ କମିଟିର ସାଂସ୍କୃତିକ ସମ୍ପାଦକ ଗଦାଧର ବେହେରା, କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ଦାଶ,ଭଣ୍ଡାରିପୋଖରୀ ଅଞ୍ଚଳର ବିଶିଷ୍ଠ ସମାଜସେବୀ ରାମଚନ୍ଦ୍ର ନାୟକ, ଚିତ୍ରଶିଳ୍ପୀ ନମିତା ବେହେରା ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ଆସନ୍ତା ଫେବୃଆରୀ ମାସ ଶେଷ ସପ୍ତାହରେ ଦଶ ଦିନ ବ୍ୟାପି ଏହି ମହୋତ୍ସବ ପାଳନ ନେଇ ପ୍ରସ୍ତାବ ରଖିଥିବା ବେଳେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ବିଶିଷ୍ଠ କଣ୍ଠଶିଳ୍ପୀ ନରେନ୍ଦ୍ର କୁମାରଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସମ୍ବର୍ଦ୍ଧନାର ଉତରରେ ଏ ମାଟି ସଂଗ୍ରାମୀ ମାଟି, ଏଠାରେ ମହତାବଙ୍କ ନାମରେ ଦୀର୍ଘ ବର୍ଷ ଧରି ମହୋତ୍ସବ ପାଳନ କରି ଲୋକ ମାନଙ୍କୁ ଖୁସି ବାଣ୍ଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଭାଇଚାରାର ସର୍ମ୍ପକ ସୃଷ୍ଟିକୁ ଉଚ୍ଚ ପ୍ରଶଂସା କରିଥିଲେ । ଯାତ୍ରା ଖଳନାୟକ ଜଗନ୍ନାଥ ପଣ୍ଡା ଏ ମାଟି କଳା ସଂସ୍କୃତିକୁ ଉଦ୍ଯିବିତ କରି ରଖିବାରେ ଅନନ୍ୟ ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ । ଆଗରପଡା ଥାନାର ଭାରପ୍ରାପ୍ତ ଥାନାଧିକାରିଣୀ ସୁଜାତା ଖମାରୀ ତାଙ୍କ ବକ୍ତବ୍ୟରେ କଳା, ସଂସ୍କୃତିକୁ ବଞ୍ଚାଇ ରଖିବାରେ ଆଗରପଡା ଅଗ୍ରଣୀ ଭୂମିକା ନିଭାଉଥିବା ବେଳେ ଶୃଙ୍ଖଳିତ ଆୟୋଜନକୁ ନେଇ କମିଟିର ଉଦ୍ୟମକୁ ସାଧୁବାଦ ଜଣାଇ ଥିଲେ । ସୁଭେନ୍ଦୁ ବେହେରା, ପୟୋଧର ବାରିକ, ମାନସ ପଟ୍ଟନାୟକ, ପ୍ରଶାନ୍ତ ସେଠୀ, ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜିବୀ ମନୋଜ ରାୟ ଭିଡିଓ ବାର୍ତ୍ତାରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।


