ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ‘ଉତ୍କଳ କୃଷି ମେଳା – 2026’ ଉଦଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ପକ୍ଷରୁ ଉତ୍କଳ କୃଷି ମେଳା-୨୦୨୬ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଦକ୍ଷତା ଆଧାରିତ କୃଷି ଶିକ୍ଷାକୁ ପ୍ରୋତ୍ସାହିତ କରିବା, କୃଷି, ମତ୍ସ୍ୟ ଏବଂ ପଶୁପାଳନ କ୍ଷେତ୍ରର ଚାଷୀମାନଙ୍କ ନିକଟରେ ବିଭିନ୍ନ କୃଷି ପ୍ରଯୁକ୍ତିବିଦ୍ୟା ପହଞ୍ଚାଇବାରେ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ଭୂମିକାକୁ ପ୍ରଶଂସା କରିଥିଲେ। ଜୀବିକା ସଶକ୍ତିକରଣ ପାଇଁ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନାର ଲାଭ ଉଠାଇବା ଏବଂ କେବଳ ଧାନ ଚାଷ ନୁହେଁ ଅନ୍ୟ ସମସ୍ତ କୃଷି ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିବା ସକାଶେ ଆହ୍ବାନ୍ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଯୋଗ ଦେଇ କୃଷି ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣର ବ୍ୟବହାର ଉପରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ବିଶ୍ବବିଦ୍ୟାଳୟର ପ୍ରୋ-ଭାଇସ୍-ଚାନ୍ସଲର୍ ପ୍ରଫେସର ଡ.ଅଜୟ କୁମାର ନାୟକ, ବିଶ୍ଵବିଦ୍ୟାଳୟର ଉପ-ଚାନ୍ସଲର୍ ପ୍ରଫେସର ଡ. ସୁପ୍ରିୟା ପଟ୍ଟନାୟକ ଓ ଉପସଭାପତି ପ୍ରଫେସର ଡି.ଏନ.ରାଓ ଯୋଗ ଦେଇ ଉତ୍ସାହିତ କରିଥିଲେ | ୨୦୨୩ ଠାରୁ ପ୍ରତିବର୍ଷ ଏହି ମେଳା ଆୟୋଜିତ ହୋଇଆସୁଛି| ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବା ସହ କୃଷକ ସମାଜରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଲକ୍ଷ୍ୟ ଚଳିତବର୍ଷ ୭୦ଟି ଷ୍ଟଲରେ ପ୍ରଦର୍ଶିତ ନୂଆ କୃଷି ପଦ୍ଧତି ସହିତ ସହସ୍ରାଧିକ ଚାଷୀ, ପ୍ରତିଷ୍ଠାନ, ଏନଜିଓ, ଏଫପିସି, ଏଫପିଓ, ଗବେଷକ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ |


