ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି “ଉତ୍କର୍ଷ” ପରୀକ୍ଷା ଆରମ୍ଭ

ଆସିକା  (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୋମବାର ଠାରୁ ଆସିକା ଅଞ୍ଚଳର ୧୬ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ସକାଶେ ଶେଷ ମୂଲ୍ୟାୟନ ଉତ୍କର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ଜଣାପଡିଛି । ନବମ ଶ୍ରେଣୀ ଛାତ୍ରୀଙ୍କ ଶିକ୍ଷଣ ନିର୍ଦ୍ଧାରଣ ସ୍ତର ପାଇଁ ପୂର୍ବରୁ ବେସ୍‍ଲାଇନ୍‍ ପରୀକ୍ଷା ଅନୁଷ୍ଠିତ ହୋଇସାରିଥିଲା ବେଳେ ସୋମବାର ଠାରୁ ଶେଷ ତଥା ଏଣ୍ଡଲାଇନ୍‍ ପରୀକ୍ଷା ଆରମ୍ଭ ହୋଇଛି । ସରକାରୀ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ସ୍ତର ବୃଦ୍ଧି ଏବଂ ମୂଲ୍ୟାୟନ ପାଇଁ ଉଦ୍ଦିଷ୍ଟ ଏକ ପ୍ରମୁଖ କାର୍ଯ୍ୟକ୍ରମ ରୂପେ ପରିଚିତ ଥିବା ଉତ୍କର୍ଷ ପରୀକ୍ଷାକୁ ସୁପରିଚାଳନା ପାଇଁ ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା ବେଳେ ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ଆଗ୍ରହର ସହକାରେ ଓଡିଆ ଓ ଗଣିତ ପାଠ୍ୟକ୍ରମ ଉପରେ ପରୀକ୍ଷା ଦେଇଥିଲେ । ଶିକ୍ଷଣ ସହାୟକ କାର୍ଯ୍ୟକ୍ରମ (ଏଲ୍‍ଇପି) ବିଦ୍ୟାର୍ଥୀଙ୍କ ମୌଳିକ ଶିକ୍ଷାକୁ ମଜବୁତ୍‍ କରିବା ସହ ସେମାନଙ୍କୁ ଆଧୁନିକ ଶିକ୍ଷା ସହ ଜଡିତ କରିବା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବା ଜଣାପଡିଛି । ମାଧ୍ୟମିକ ସ୍ତରରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଓଡିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷଣ ଅଭିବୃଦ୍ଧି ଲକ୍ଷ୍ୟରେ ଗତ ୨୦୧୭-୧୮ ମସିହାରୁ ଉତ୍କର୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ବୟସ ଓ ଶ୍ରେଣୀ ଉପଯୋଗୀ ଶିକ୍ଷଣ ଦକ୍ଷତା ହାସଲ କରିବା ପାଇଁ ଶିକ୍ଷାବିଭାଗ ପକ୍ଷରୁ ଏହି ଶେଷ ମୂଲ୍ୟାୟନ ଉତ୍କର୍ଷ ପରୀକ୍ଷା ସୋମବାର ଠାରୁ ଆସିକାର ୧୬ଟି ସରକାରୀ ହାଇସ୍କୁଲରେ ଆରମ୍ଭ ହୋଇଥିଲା ବେଳେ ବିଦ୍ୟାର୍ଥୀମାନଙ୍କ ଶିକ୍ଷଣ ସ୍ତରକୁ ଚିହ୍ନଟ କରି ଦକ୍ଷ କରିବା ଲକ୍ଷ୍ୟରେ ପୂର୍ବରୁ ଅଭ୍ୟାସ ପୁସ୍ତିକା ଯୋଗାଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ପରାମର୍ଶକ୍ରମେ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ଉତ୍କର୍ଷ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ପ୍ରଜ୍ଞା ପରମିତା ପଣ୍ଡା, ରମାକାନ୍ତ ମହାନ୍ତି, ମିନତୀ କୁମାରୀ ପାତ୍ର, ବଳରାମ ପଣ୍ଡା, ରାଜୀବ ଲୋଚନ ସେଠୀ, ଲବ ସେଠୀ, ସ୍ନେହଲତା ଆଚାର୍ଯ୍ୟ, ସସ୍ମିତା କୁମାରୀ ନାୟକ, ଅଶୋକ କୁମାର କହଁର, ଭଗବାନ ସ୍ୱାଇଁଙ୍କ ସମେତ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନେ ନିୟୋଜିତ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ