କଟକର ସିଡିଏ ସେକ୍ଟର-୬ ଅଞ୍ଚଳରେ ମୂଲ୍ୟବାନ ସରକାରୀ ୧୦୦ କୋଟିର ଜମିକୁ ୩ କୋଟିରେ ଟେକିଦେଲେ

କଟକ(ଓ୍ବାଇଏନଏସ) : କଟକର ସିଡିଏ ସେକ୍ଟର-୬ ଅଞ୍ଚଳରେ ମୂଲ୍ୟବାନ ସରକାରୀ ଜମିକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେକି ଦେବାର ମସୁଧା ହୋଇଛି। ଅଢେଇ ଏକର ପରିମିତ (୧ ଲକ୍ଷ ବର୍ଗଫୁଟ)ର ଏହି ଜମିର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ହେଲେ ଏହାକୁ ମାତ୍ର ୩ କୋଟି ଟଙ୍କାରେ ସଂପୃକ୍ତ ସଂସ୍ଥା ହାତକୁ ଟେକି ଦେବା ଲାଗି ଯୋଜନାବଦ୍ଧ ପ୍ରୟାସ ହୋଇଛି। ସଂପୃକ୍ତ ସଂସ୍ଥା ପୂର୍ବରୁ ମଧ୍ୟ ସିଡିଏରୁ ବହୁ ଜମି ହାତେଇ ନିଜର କାରବାର ଚଳାଇଛନ୍ତି। ଏଥର ମଧ୍ୟ ଏହି ପ୍ରକ୍ରିୟାରେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଓ ଶାସକ ଦଳର ନେତାଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି। ଅଭିଯୋଗ ଅନୁଯାୟୀ, କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ୨୦୨୫, ନଭେମ୍ବର ୨୧ରେ ସିଡିଏ ସେକ୍ଟର-୬ ରେ ଥିବା ୨.୫ ଏକର ଜମି ଇ-ନିଲାମରେ ଆବଣ୍ଟନ କରିବାକୁ ଟେଣ୍ଡର (ନମ୍ବର ୧୩୪୪୭) ପ୍ରକାଶ ପାଇଥିଲା। ଆବେଦନର ଶେଷ ତାରିଖ ଥିଲା ଡିସେମ୍ବର ୧୨। ଏଥିପାଇଁ ବିଭିନ୍ନ ସର୍ତ୍ତ ସହିତ ୨ କୋଟି ଟଙ୍କା ଜମାନତ ରାଶି ଦାଖଲର ନିର୍ଦ୍ଦେଶ ଥିଲା। ଟେଣ୍ଡର ପ୍ରକ୍ରିୟାରେ ମାତ୍ର ଜଣେ ବିଡର୍‌ ଅଂଶଗ୍ରହଣ କରିଥିଲେ। ସିଙ୍ଗିଲ୍‌ ଟେଣ୍ଡର ଯୋଗୁଁ ଏହା ବାତିଲ ହୋଇ ସାନି ଟେଣ୍ଡର ଜାରି କରାଯିବା କଥା। ମାତ୍ର ସିଡିଏ କର୍ତ୍ତୃପକ୍ଷ ଏହାକୁ ବାତିଲ କରିବା ପରିବର୍ତ୍ତେ କୌଣସି ଯଥାର୍ଥ କାରଣ ନ ଦର୍ଶାଇ ସଂଶୋଧିତ ବିଜ୍ଞପ୍ତି ଜରିଆରେ ଟେଣ୍ଡର ଆବେଦନର ଶେଷ ତାରିଖକୁ ୨୦୨୫, ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଦେଲେ। ଏହି ପ୍ରକ୍ରିୟାରେ ଛତିଶଗଡ଼ର ଏକ ସଂସ୍ଥା ଯୋଡ଼ି ହେଲା ଏବଂ ଏହି ଦୁଇ ସଂସ୍ଥା ମଧ୍ୟରୁ ଗୋଟିଏକୁ ବାଛିବାର ବାଟ ପ୍ରସ୍ତୁତ କରାଗଲା। ୩ କୋଟି ଟଙ୍କାରେ ଅଢେଇ ଏକର ମୂଲ୍ୟବାନ ଜମିକୁ ସଂପୃକ୍ତ ସଂସ୍ଥା ହାତେଇ ନେବାର କ୍ଷେତ୍ର ପ୍ରସ୍ତୁତ ହେଇଗଲା। ଏଭଳି ପ୍ରକ୍ରିୟା ବିରୋଧରେ ଏକ ପ୍ରତିଷ୍ଠିତ ଡେଭଲପ୍‌ର ସଂଘ ପକ୍ଷରୁ ସିଡିଏ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ମାତ୍ର ସିିଡିଏ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭିଜିଲାନ୍ସ ଡିଜି, ଜିଲ୍ଲାପାଳ, ସିଡିଏ ଉପାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇଛି। ଏହି ନିଲାମ ବାତିଲ ସହ ସଂପୂର୍ଣ୍ଣ ଘଟଣାର ତଦନ୍ତ ଦାବି କରାଯାଇଛି। ଅନ୍ୟପଟେ ଏ ସଂପର୍କରେ ସିଡିଏ ସଚିବ ଡକ୍ଟର ଶ୍ବେତ କୁମାର ଦାଶ କହିଛନ୍ତି ଯେ ସିଡ଼ିଏ ସେକ୍ଟର-୬ରେ ଥିବା ୨.୫ ଏକର ଜମିର ଇ-ନିଲାମ ପାଇଁ ଗ୍ଲୋବାଲ ଟେଣ୍ଡର କରାଯାଇଥିଲା। ଏଥିରେ କେହି ଅଂଶଗ୍ରହଣ କଲେ ନାହିଁ। ଏଣୁ ଏହାର ଅବଧିକୁ ୨ଥର ବୃଦ୍ଧି କରାଯାଇଥଲା। ଶେଷରେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଥିଲେ। ଉକ୍ତ ଜମିର ଅଧା ଅଞ୍ଚଳରେ ଥିବା ପୁରୁଣା କୋଠାକୁ ଭାଙ୍ଗି ଟେଣ୍ଡର ପାଇଥିବା ସଂସ୍ଥା ସିଡିଏ ଅଫିସର ନୂଆ କୋଠା ନିର୍ମାଣ କରିବ। ସେଥିପାଇଁ ସଂପୃକ୍ତ ସଂସ୍ଥା ୬୦ କୋଟି ଟଙ୍କା ବ୍ୟୟ କରିବ। ବଳକା ଅଧା ଜମିରେ ସଂପୃକ୍ତ ସଂସ୍ଥା ବ୍ୟବସାୟ ପ୍ରତିଷ୍ଠାନ କରି ପାରିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ