ବହୁ ଚର୍ଚ୍ଚିତ ଦୀପୁ ଓ ଓମ ହତ୍ୟା ମାମଲାର ରାୟ ପ୍ରକାଶ: ଧଳସାମନ୍ତ ଭ୍ରାତାଙ୍କ ସମେତ ୮ ଦୋଷମୁକ୍ତ
କଟକ,(ଓ୍ବାଇଏନଏସ): କଟକର ବହୁଚର୍ଚ୍ଚିତ ଦୀପୁ ଓ ଓମ ହତ୍ୟା ମାମଲାର ଦୀର୍ଘ ୧୨ ବର୍ଷ ପରେ ଅଦାଲତଙ୍କ ରାୟ ଆସିଛି। ଗତ ଜୁନ ୧୮ ତାରିଖରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ଜିଲ୍ଲା ଓ ଦୌରାଜଜ୍। ଆଜି ମାମଲାର ରାୟ ପ୍ରକାଶ କରି ଧଳସାମନ୍ତ ଭ୍ରାତା ଓ ଅନ୍ୟ ୬ଜଣଙ୍କୁ ସାକ୍ଷୀ ପ୍ରମାଣ ଅଭାବରୁ ଜିଲ୍ଲା ଦୌରାଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରେ ମୁଖ୍ୟ ଅଭିଯୁକ୍ତ ରହିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭ୍ରାତା ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ ହତ୍ୟା ମାମଲା(ଆଇପିସି ଦଫା ୩୦୨ରୁ ଦୋଷମୁକ୍ତ କରାଯାଇଥିଲେ ହେଁ ଘରେ ଅସ୍ତ୍ରଶସ୍ତ୍ର ରଖିଥିବା ମାମଲା(ଆଇପିସି ୨୫-ଏ)ରେ ୭ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ। ଧଳସାମନ୍ତ ଭ୍ରାତା ଜେଲରେ ଦୀର୍ଘ ୯ବର୍ଷରୁ ଅଧିକ ସମୟ ହେଲାଣି ରହିଥିବା ବେଳେ ସେମାନଙ୍କ ବିରୋଧରେ ଆଉ ଦୁଇ ତିନୋଟି ମାମଲା ବିଚାରାଧୀନ ରହିଛି। ଏଣୁ ଏବେ ସେମାନେ ଜେଲରୁ ମୁକୁଳିପାରିବେ ନାହିଁ ବୋଲି ଜଣାପଡ଼ିଛି। ଧଳସାମନ୍ତ ଭ୍ରାତାଙ୍କ ସମେତ ଆରିଫ ଖାଁ, ଦେବାଶିଷ ସାହୁ, ଦେବାଶିଷ କର, ଭରତ ବେହେରା, ଶୁଭେନ୍ଦୁ ଦାସ ଓ ଦେବଦତ୍ତ ଦାସ ମୋଟ ୮ଜଣ ଏହି ହତ୍ୟାକାଣ୍ଡ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି। ପୂର୍ବରୁ ଏହି ମାମଲା ବିଚାରାଧୀନ ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଥିବା ଭଜନା ଓ ଭୋଳାଭଗତର ମୃତ୍ୟୁ ହୋଇଯାଇଥିଲା। ସୂଚନାଯୋଗ୍ୟ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଏକଦା ପ୍ରମୁଖ ସହଯୋଗୀ ଥିବା ଚାଉଳିଆଗଞ୍ଜ ଥଟ୍ଟାରି ସାହିର ଦୀପୁ ଓରଫ ମନୋଜ ମଲ୍ଲିକ ଓ ଓମ ଓରଫ ଓମପ୍ରକାଶ ସ୍ୱାଇଁଙ୍କୁ ୨୦୧୩ ମସିହାରେ ଅପହରଣ କରି ଆଠଗଡ ଖୁଣ୍ଟକଟା ଫାର୍ମ ହାଉସକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ଝାଡଖଣ୍ଡରେ ପୋଡି ଦିଆଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଦୀପୁ ଓ ଓମଙ୍କ ନିଖୋଜ ନେଇ ୨୦୧୬ ମସିହାରେ ଦୀପୁର ବାପା ଅଦ୍ୱୈତ ମଲ୍ଲିକ ଓ ଓମର ପତ୍ନୀ ମାନି ସ୍ୱାଇଁଙ୍କ ଏତଲା ଆଧାରରେ ଚାଉଳିଆଗଞ୍ଜ ପୁଲିସ ମାମଲା ରୁଜୁ କରିଥିଲା। ୨୦୧୬ ଜାନୁଆରୀ ୨୯ ତାରିଖରେ କଟକ କମିସନରେଟ ପୁଲିସ ଭୁବନେଶ୍ୱରରୁ ସୁଶାନ୍ତ ଓ ସୁଶୀଲକୁ ଗିରଫ କରିଥିଲା। ପରେ ଧଳସାମନ୍ତ ଭ୍ରାତାଙ୍କ ନାମରେ ଚାଉଳିଆଗଞ୍ଜ ପୁଲିସ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିବା ପରେ ଜିଲ୍ଲା ଓ ଦୌରା ଅଦାଲତ ମଧ୍ୟ ଚାର୍ଜଫ୍ରେମ କରି ଶୁଣାଣି କରିଥିଲେ। ଏହି ମାମଲାରେ ଦୀପୁର ମା ଓ ବାପା, ଓମ୍ର ପିତା, ଖଣ୍ଟକଟା ଫାର୍ମହାଉସର ସୁପରଭାଇଜର ମାନସ ନାୟକ, ଚାଉଳିଆଗଞ୍ଜ ଥାନାର ତତ୍କାଳୀନ ଇନ୍ସପେକ୍ଟର୍ ରଶ୍ମିରଂଜନ ମହାପାତ୍ର,ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଆଇଆଇସି ଅଜୟ ଦାସ, ଦେବେନ୍ଦ୍ର ବିଶ୍ୱାଳ, ଫରେନସିକ ସାଇନ୍ସ ଲାବୋରୋଟାରୀ(ଏସଏଫଏସଏଲ)ର ସହକାରୀ ନିର୍ଦ୍ଦେଶକ, ଝାଡ଼ଖଣ୍ଡର ଗୁଆ ଫାଣ୍ଡିର ତତ୍କାଳୀନ ଅଧିକାରୀ ବିଜୟ କେରକେରଙ୍କ ସମେତ ମୋଟ ୨୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମାମଲା ଶୁଣାଣିର ବିଭିନ୍ନ ତାରିଖରେ ଧଳଭ୍ରାତାଙ୍କୁ ବାଲେଶ୍ୱର ଓ ବଲାଙ୍ଗୀର ଜେଲରୁ କଡ଼ା ସୁରକ୍ଷାବଳୟରେ ଅଣାଯାଇ ହାଜର କରାଯାଉଥିଲା। ଧଳଭ୍ରାତାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ପ୍ରସନ୍ନ ମହାନ୍ତି ମାମଲା ପରିଚାଳନା କରୁଥିଲେ।