କଳାବ୍ୟାଜ୍‍ ପରିଧାନ କରି ଆସିକାରେ ପ୍ରାଣୀ ଚିକିତ୍ସକଙ୍କ ପ୍ରତିବାଦ

ଆସିକା  (ୱାଇଏନ୍‍ଏସ୍‍) ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଆହ୍ୱାନକ୍ରମେ ଆସିକା ଗୋଷ୍ଠୀ ପ୍ରାଣି ଚିକିତ୍ସାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ଡାକ୍ତର କଳାବ୍ୟାଜ୍‍ ପରିଧାନ କରି ପ୍ରତିବାଦ କରିବା ସାଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୂ ରୂପେ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ଓଡିଶା ପ୍ରାଣୀ ଚିକିତ୍ସକଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବ ପ୍ରତିବାଦରେ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଗତ ୨୫ ତାରିଖ ଠାରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକମାନେ କଳାବ୍ୟାଜ୍‍ ପରିଧାନ କରି ପ୍ରତିବାଦ ଜାରି ରଖିଥିବା ଜଣାପଡିଛି । ପ୍ରାଣୀ ଚିକିତ୍ସକମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ସେମାନଙ୍କର ଦୀର୍ଘ ଦିନର ନ୍ୟାୟୋଚିତ ଦାବୀ ଗୁଡିକ ପୂରଣ ଦିଗରେ ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ପ୍ରତିବାଦକୁ ଆହୁରି ଶାଣିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ମାତ୍ର ଦେଢ ଶହ ଡାକ୍ତକ ତୁଲାଉଥିବା ବେଳେ ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥିବା ସେମାନଙ୍କୁ ଅଧିକ ହତୋତ୍ସାହିତ କରୁଛି । ଦୀର୍ଘ ୨୨ରୁ ୨୩ ବର୍ଷ ଧରି ଗୋଟିଏ ଦରମାରେ କାର୍ଯ୍ୟ କରୁଥିବା ଜଣାପଡିଛି । ପ୍ରାୟ ୪୦ ପ୍ରତିଶତ ଅଧୀନସ୍ଥ ପଦବୀ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରାଯାଉନଥିବା ଯୋଗୁଁ ବହୁ ପ୍ରାଣୀ ଚିକିତ୍ସକ ଚାପଗ୍ରସ୍ତ ହୋଇ ପ୍ରାଣୀ ଚିକିତ୍ସା ସେବା ଜାରି ରଖିଥିବା ଜଣାପଡିଛି । ପ୍ରାଣୀପାଳନ ବିଭାଗର ସଂପୁର୍ଣ୍ଣ ରୂପାନ୍ତରଣ ସହ କ୍ୟାଡର୍‍ ପୁନର୍ଗଠନ ପାଇଁ ଦାବୀ ହୋଇଆସୁଛି । ଏଥିସହିିତ ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ରୀୟ ହାରରେ ଡିଏସିପି ଏବଂ ଏନ୍‍ପିଏ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ ହେଉଛି । ପ୍ରାଣୀ ଚିକିତ୍ସକମାନଙ୍କ ଦୀର୍ଘ ଦିନର ନ୍ୟାୟୋଚିତ ଦାବୀ ପୂରଣ ଲାଗି ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଅତୀତରେ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ରାଜ୍ୟ ସରକାର ପ୍ରାଣୀପାଳକମାନଙ୍କ ନିମନ୍ତେ ବହୁ ଉପଯୌଗୀ ଯୋଜନା କାର୍ଯ୍ୟକାରୀ କରିବା ସହ ବିଭିନ୍ନ ଯୋଜନାରେ ୫୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରୁଛନ୍ତି । ସରକାର ପ୍ରାଣୀପାଳକଙ୍କ ପାଇଁ କାର୍ଯ୍ୟକାରୀ କରୁଥିବା କଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ପ୍ରାଣୀ ଚିକିତ୍ସକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସାଙ୍ଗକୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚି ଯୋଜନା ସଂପର୍କରେ ଅବଗତ କରାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଓଡିଶା ପ୍ରାଣୀ ଚିକିତ୍ସାସେବା ସଂଘର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଆସିକା ସଂଘର ସକ୍ରିୟ ସଦସ୍ୟ ତଥା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ କୁମାର ବେହେରା ଓ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ