ଅବସରପ୍ରାପ୍ତ କର୍ମଚାରୀଙ୍କ ଛାତ୍ରୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ: ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ -ଜିଲ୍ଲା ଶିକ୍ଷାଧିକାରୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-୧୩/୦୩:-ବିଦ୍ୟାଳୟ କୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ ଉକ୍ତ ବିଦ୍ୟାଳୟ ପରିସରରେ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳ ର ଏକ ବିଦ୍ୟାଳୟ ରେ ଜଣେ ଛାତ୍ରୀ ଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ ଭାଇରାଲ ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା ମୁତାବକ, କାକଟପୁର ଥାନା ଅଧିନ ଏକ ସ୍କୁଲରେ ଛାତ୍ରୀଙ୍କୁ ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହ ପରିସରରେ ଜଣେ କର୍ମଚାରୀ କିଭଳି ଅବାଧରେ ପ୍ରବେଶ କରୁଥିଲେ ଏବଂ ଏଭଳି ଅନୈତିକ କାର୍ଯ୍ୟ କରିବାକୁ ସୁଯୋଗ ପାଇଲେ, ତାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ।ଏ ଘଟଣା କୁ ନେଇ ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୁରୁବାର କାକଟପୁର ଥାନାରେ ଲିଖିତ ଅଭିଯୋଗ ଦର୍ଶାଇଛନ୍ତି।ଅଭିଯୋଗ ପରେ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ସହ ଅନ୍ୟ କର୍ମଚାରୀ ବିଦ୍ୟାଳୟ ପହଂଚି ସ୍ଥିତି ଅନୁଧ୍ୟାନ ସହ ତଦନ୍ତ ଜାରୀରଖିଛନ୍ତି।ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ କହିଛନ୍ତି, ଭିଡିଓ ଭାଇରାଲ ପରେ ଘଟଣା କୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ ଆରମ୍ଭ ହୋଇଛି। ଅପରପକ୍ଷରେ ପୋଲିସ ଏବଂ ପ୍ରଶାସନ ଏହି ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି। ଅବସର ପ୍ରାପ୍ତ କର୍ମଚାରୀ ଜଣକ ଘରେ ନଥିବା ପୋଲିସ ତରଫରୁ ସୂଚନା ମିଳିଛି, ତଦନ୍ତ ଜାରୀ ରହିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।


