ଘରେ ଖଣ୍ଡା ବୁଲାଇ ଭାଇରାଲ କଲେ ଭିଡିଓ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ବଡଡୁମୁଳା ଗ୍ରାମରେ ଶୁକ୍ରବାର ରାତିରେ ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ ହାତରେ ଖଣ୍ଡା ଧରି ମୋ ପରିବାର କୁ ବରବାଦ କରିଥିବା ୩ ଜଣ ଙ୍କ ମୁଣ୍ଡ ଦିଗପହଣ୍ଡି ଥାନାରେ ଗଡିବ ବୋଲି କହି ନିଜେ ମୋବାଇଲ ରେ ଭିଡିଓ ଉତ୍ତୋଳନ କରିଥିଲେ ଏବଂ ସେହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରି ଲୋକଙ୍କୁ ଭୟଭୀତ କରିଥିଲେ। ଏହି ଭିଡିଓ ପ୍ରବଳ ମାତ୍ରା ରେ ଭାଇରାଲ ହୋଇଥିଲା।ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ ଏହି ଭିଡିଓ ଦେଖିବା ପରେ ଦିଗପହଣ୍ଡି ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।ଥାନା ଏସ.ଆଇ ରାଜ କିଶୋର ପାତ୍ର ଏନେଇ ଏତଲା ଦେବାପରେ ଥାନା କେସ ନଂ.୩୭୩/୨୫ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ଶନିବାର ସକାଳେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଖଣ୍ଡା ଓ ମୋବାଇଲ ଫୋନ କୁ ଜବତ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ସୁଶାନ୍ତ ଅତ୍ୟଧିକ ମଦ୍ୟପାନ କରିବା ସହ ହାତରେ ଏକ ଧାରୁଆ ଖଣ୍ଡା ଧରି ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲା । ଏପରିକି ସେ ଦୀର୍ଘ ୧ ଘଣ୍ଟା ଧରି ଖଣ୍ଡା ବୁଲାଇ କିଛି ଲୋକଙ୍କୁ ମାରିବା ପାଇଁ ଧମକ ଦେଇଥିଲା । ମୋ ନାମ ସୁଶାନ୍ତ ମହାଙ୍କୁଡ ଜାତିରେ ଗୈାଡ , କ୍ଷୀର ବିକିବା ଓ ଗାଈ ଚରାଇବା ମୋ କାମ। ମୋ ପରିବାର କୁ ଯିଏ ବରବାଦ କରିଛି ସେମାନଙ୍କ ମୁଣ୍ଡ କାଟି ଦିଗପହଣ୍ଡି ଥାନାକୁ ନେବି ବୋଲି ଖଣ୍ଡାକୁ ଏଣେତେଣେ ବୁଲାଇ ଆତଙ୍କ ଖେଳାଇଥିଲା । କିଛି ଗ୍ରାମବାସୀ ଭୟଭୀତ ହେବା ପରେ ଦିଗପହଣ୍ଡି ପୁଲିସ କୁ ଖବର ଦେଇଥିଲେ । ଖବରପାଇ ପୁଲିସ ଟିମ୍ ଗ୍ରାମରେ ପହଞ୍ଚି କୈାଶଳକ୍ରମେ ଯୁବକକୁ କାବୁ କରି ଥାନାକୁ ଆଣିଥିଲେ ।