ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ
କଟକ, (ଓ୍ବାଇଏନଏସ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜନଗର କେରେଡ଼ାଗଡ଼ ଆରଆଇ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ କେରେଡ଼ାଗଡ଼ ସର୍କଲର ରାଜସ୍ୱ ନିରୀକ୍ଷକ (ଆର.ଆଇ) ଶ୍ରୀ ପ୍ରଦ୍ୟୁମ୍ନ କେଶରୀ ବେହୁରା । ଜମି ମାଲିକାନା ପରିବର୍ତ୍ତନ ପାଇଁ ଅନୁକୂଳ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ଜମି ମାଲିକ ନିଜର ଉତ୍ତରାଧିକାରୀ ସୂତ୍ରରେ ଜମିର ମ୍ୟୁଟେସନ ଅର୍ଥାତ୍ ଜମି ମାଲିକାନା ପରିବର୍ତ୍ତନ ପାଇଁ ଅନଲାଇନରେ ଆବେଦନ କରିଥିଲେ । ଏହି ମାମଲାରେ ସପକ୍ଷରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଆରଆଇ ଶ୍ରୀ ବେହୁରା ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏଥିରେ ଅତିଷ୍ଠ ହୋଇ ଜମି ମାଲିକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଆଜି ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଯେତେବେଳେ ଶ୍ରୀ ବେହୁରା ଉକ୍ତ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ସେତିକି ବେଳେ ଓଡ଼ିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ମାଡ଼ି ବସିଥିଲେ । ଗିରଫ ପରେ ଶ୍ରୀ ବେହୁରାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ସମ୍ପର୍କରେ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।


