କେନ୍ଦ୍ରାପଡା କଲେଜ ପରିସରରେ ନିର୍ମିତ ସିସିରୋଡ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୬୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ସିମେଣ୍ଟଙ୍କଙ୍କ୍ରିଟ ରାସ୍ତା ନିର୍ମାଣ ଦୁର୍ନୀତିର ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ତଦନ୍ତ ଆରମ୍ଭ ହୋଇଛି। ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପୁରାତନ ଛାତ୍ର ପ୍ରତାପ ମହାନ୍ତି ଓ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ସେହି ଅଭିଯୋଗର ତଦନ୍ତ କରିବା ପାଇଁ ଭିଜିଲାନ୍ସ ବିଭାଗକୁ ନିର୍ଦେଶ ଦେଇଥିଲେ। ବିଭାଗ ପକ୍ଷରୁ ସେ ସମ୍ପର୍କିତ ସମସ୍ତ କାଗଜପତ୍ର କଲେଜରୁ ଜବତ କରାଯିବା ପରେ ଏବେ ତଦନ୍ତ ଆରମ୍ଭ ହୋଇଛି। ସେହି ରାସ୍ତା ନିର୍ମାଣରେ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବିଲ କରି ଉଠାଇ ନିଆଯାଇଥିବା ପୁରାତନ ଛାତ୍ର ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ୱରେ ଏକ ଟେକନିକାଲ ଟିମ ମଙ୍ଗଳବାର କଲେଜକୁ ଆସି ସେହି ରାସ୍ତାର ମାପଚୂପ କରିବା ସହ କେତେକ ତଥ୍ୟ ସଂଗ୍ରହକରି ଫେରିଯାଇଥିବା ସୂଚନା ମିଳିଛି। ସେହି ରାସ୍ତା ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ଥିବା କର୍ମଚାରୀମାନଙ୍କୁ ନୋଟିସ ପଠାଯାଇଥିଲେ ମଧ୍ୟ ସେମାନେ ଦେହ ଅସୁସ୍ଥ ଥିବା ବାହାନାରେ ନୋଟିସ ଗ୍ରହଣ କରିନଥିବା ସୂଚନା ମିଳିଛି।