କଣ୍ଟାପଡା ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କଟକ, (ଓ୍ବାଇଏନଏସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର ଓଏଏସ ଅଫିସର ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି । ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ପୋଲିସ ଅଧୀକ୍ଷକ (ଅତିରିକ୍ତ ଏସପି), ୮ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡ଼ିଏସପି), ୧୧ ଜଣ ଇନ୍ସପେକ୍ଟର, ୫ ଜଣ ସହାୟକ ଉପ-ନିରୀକ୍ଷକ (ଏଏସଆଇ) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କଟକ, ଭୁବନେଶ୍ୱର (ଖୋର୍ଦ୍ଧା), ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୭ ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର କେଶୁରାରେ ପ୍ରସନ୍ନଙ୍କ ଦୁଇଟି କୋଠା ଠାବ ହୋଇଛି । ଏହାମଧ୍ୟରେ ଗୋଟିଏ ୩ ମହଲା ବିଶିଷ୍ଟ କୋଠା ଏବଂ ଅନ୍ୟ ତିନି ମହଲା କୋଠାର ନିର୍ମାଣ ଚାଲୁ ରହିଛି । ସେହିପରି ଭୁବନେଶ୍ୱର ସହରରେ ୭ଟି ବହୁମୂଲ୍ୟର ପ୍ଲଟ ମଧ୍ୟ ଠାବ ହୋଇଛି । କୋଠା ଓ ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ ଉଇଙ୍ଗ୍ ହିସାବ କରୁଛି । ସେହିପରି ପ୍ରସନ୍ନଙ୍କ ଘରୁ ନଗଦ ୨ ଲକ୍ଷ ୧୫ ହଜାର ୮୯୦ ଟଙ୍କା ଜବତ ହୋଇଛି । ଏଥିସହ ଗୋଟିଏ ଚାରି ଚକିଆ ଯାନ (ମାରୁତି ବ୍ରିଜା) ଓ ୩ଟି ଦୁଇ ଚକିଆ ଯାନ ଠାବ ହୋଇଛି । ତେବେ ପ୍ରସନ୍ନଙ୍କ ବ୍ୟାଙ୍କ ଓ ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ନିବେଶ ସଂକ୍ରାନ୍ତରେ ଭିଜିଲାନ୍ସ ଟିମ୍ ଜାଣିବାକୁ ପ୍ରୟାସ ଜାରି ରଖିଛି । ଭିଜିଲାନ୍ସ ପକ୍ଷରୁ ପ୍ରସନ୍ନଙ୍କ ଚାକିରି ସମ୍ବନ୍ଧରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସେ ୨୦୦୦ ମସିହା ଜାନୁଆରୀ ୨୧ରେ “ଲୋକାଲ ଫଣ୍ଡ ଅଡିଟର” ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ଦରମା ମାତ୍ର ୫ ହଜାର ୧୩୦ ଟଙ୍କା ଥିଲା । ଓଏଏସ ଅଧିକାରୀ ପ୍ରସନ୍ନ ସାମନ୍ତରାୟଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି ଯେ, ତଲାସୀ ପ୍ରକ୍ରିୟା ଏବେ ବି ଜାରି ରହିଛି ଏବଂ ସମ୍ପତ୍ତି, ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ଯାଞ୍ଚ କରାଯାଉଛି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅଧିକ ବିବରଣୀ ପ୍ରକାଶ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ