ଗାଁରେ ପସିଲା ବର୍ଷାପାଣି, ଜଳ ନିଷ୍କାସନ ଦାବିରେ ଜଳକଳଙ୍ଗ ଗ୍ରାମବାସୀଙ୍କ ରାସ୍ତାରୋକ
ହାଟଡିହି (ଓ୍ବାଇଏନଏସ): ଗାଁରେ ପସିଲା ପାଣି, ଏହା ଦିନେ କି ଦୁଇ ଦିନର ସମସ୍ୟା ନୁହଁ, ବର୍ଷ ବର୍ଷ ଧରି ଏପରି ସମସ୍ୟାରେ ଘାଣ୍ଟି ହେଉଥିବା ଜଳକଳଙ୍ଗ ଗ୍ରାମବାସୀ ମାନେ ଆଜି ହାଟଡ଼ିହି ବ୍ଲକ ଛକ ନିକଟରେ ରାସ୍ତା ରୋକ କରି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ରାସ୍ତା କଡ଼ରେ ଥିବା ପୋଖରୀଟି ବୁଡ଼ିଯାଇ ଦୁଇ ପଟକୁ ଉଛୁଳି ପଡୁଥିବାରୁ ଦୁଇଟି ଯାକ ରାସ୍ତା ବୁଡିଯାଉଛି। ପୁର୍ବରୁ ଥିବା ଜଳ ନିଷ୍କାସନ ବାଟ ଗୁଡ଼ିକ ବନ୍ଦ ହୋଇଯାଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମକୁ ଯିବାକୁ ଥିବା ଦୁଇଟି ରାସ୍ତା ପାଣିରେ ବୁଡ଼ି ରହୁଥିବାରୁ ଗାଁ ଲୋକେ ବାହାରକୁ ବହାରି ପାରୁ ନାହାନ୍ତି। ଏପରିକି ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯାଇ ପାରୁ ନାହାନ୍ତି। ଅନେକ ଛୁଆ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଥିବା ବେଳେ ପାଣି ରେ ପସି ଯାତାୟତ କରିଥିବାରୁ ଚର୍ମ ରୋଗର ଶୀକାର ହେଉଛନ୍ତି। ଏହାକୁ ନେଇ ଗ୍ରାମବାସୀ ମାନେ ପୁର୍ବରୁ ଅନେକ ଥର ତହସିଲଦାରଙ୍କୁ ଜଣାଇ ଜଳ ନିସ୍କାସନ ପାଇଁ ଦାବି କରିଥିଲେ ବି କିଛି ସୁଫଳ ମିଳିନଥିଲା। ଅଜି ସକାଳେ ଗୋପାଳ ନାୟକ, ପଙ୍କଜ କୁମାର ଜେନା, ସନ୍ତୋଷ କୁମାର ନାୟକ, ବାବାଜି ଚରଣ ଦାସ, ଗୀତା ଦାସ, ମନୋଜ ନାୟକ, କାମପାଳ ନାୟକ, ଶ୍ରଦ୍ଧାଞ୍ଜଳୀ ସ୍ବାଇଁ, ରଶ୍ମିତା ମଲ୍ଲିକଙ୍କ ସମେତ ଶତାଧିକ ଗ୍ରାମବାସୀ ଆନନ୍ଦପୁର ଭଦ୍ରକ ରାସ୍ତାକୁ ଜଳକଳଙ୍ଗ ଠାରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଖବର ପାଇ ତହସିଲଦାର ଶିବବ୍ରତ ତ୍ରିପାଠୀ, ନନ୍ଦିପଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଜଳ ନିଷ୍କାସନ ର ବ୍ୟବସ୍ତା କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା। ପୁଲିସ ଉପସ୍ଥିତିରେ ଜଳ ନିସ୍କାସନ ପାଇଁ ଜେସିବି ମେସିନ ଡାକି ଖୋଳି ବା ଆରମ୍ଭ ହୋଇଥିବା ବେଳେ ବିବାଦ ଦେଖାଦେବାରୁ ଜଳ ନିଷ୍କାସନ ହୋଇ ପାରି ନଥିବା ଜଣା ଯାଇଛି।