କରଗୋଳା ଗ୍ରାମରେ ରାସ୍ତା କାମକୁ ନେଇ ବିବାଦ ନେଇ ଗ୍ରାମବାସୀଙ୍କ ଧାରଣା
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ କରଗୋଳା ଗ୍ରାମରେ ରାସ୍ତା କାମକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ ଗୋଟିଏ ଗୋଷ୍ଠୀର ଲୋକମାନେ କାମ ବନ୍ଦ କରାଇ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ କରଗୋଳା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇ ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆ ଯାଇଛି। ପଣ୍ଡା ସାହି ଠାରୁ ସ୍କୁଲ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ନିର୍ମାଣ କେଉଁ ଗୋଷ୍ଠୀ କରିବ ସେଥିପାଇଁ ଛକା ପଞ୍ଝା ଲାଗିଛନ୍ତି। ଦୁଇଦିନ ପୂର୍ବେ ଏହାକୁ ନେଇ ଉଭୟ ଗୋଷ୍ଠୀ ହାତାହାତି ହୋଇ ଥାନା ପର୍ଯ୍ୟନ୍ତ ଯାଇଥିବା ବେଳେ ଆଜି ଗୋଟିଏ ଗୋଷ୍ଠୀ ରାସ୍ତାରେ ପାଲ ଟାଙ୍ଗି ଧାରଣାରେ ବସିଛନ୍ତି। ଅନ୍ୟ ସାହିର ରାସ୍ତା ନିର୍ମାଣରେ ସେହି ସାହିର ଲୋକମାନେ କାମ କରାଉଥିବା ବେଳେ ଏକାମକୁ ଅନ୍ୟ ସାହିର ଲୋକେ କାହିଁକି କରିବେ ବୋଲି ପ୍ରଶ୍ନ କରିଛନ୍ତି। ରାସ୍ତା କାମ ହେଵ ସହିଲୋକେ ଜାଣିବେ ନାହିଁ, ଯନ୍ତ୍ରୀ ଆସି ଲେ- ଆଉଟ ଦେବେ ନାହିଁ ଏହା କିପରି ସମ୍ଭବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ସେମାନେ ବିଡ଼ିଓ, କନିଷ୍ଠ ଯନ୍ତ୍ରୀ ପ୍ରମୁଖଙ୍କୁ ଭେଟିଥିବା ବେଳେ କେହି ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଗୋପାଳ ସେଠୀ, ଅନ୍ତର୍ଯ୍ୟାମୀ ସାହୁ, ଶଙ୍କର୍ଷଣ ସାହୁ, ଗୋପୀନାଥ ସାହୁ, ଶ୍ରୀଧର ଜେନା, ଗଣେଶ ଜେନା ପ୍ରମୁଖ କହିଛନ୍ତି। କାମ କରିବା ପାଇଁ ଉଭୟ ଗୋଷ୍ଠୀ କଞ୍ଚା ମାଲ ପକାଇ ଥିବାରୁ ବିବାଦ ତୀବ୍ରତର ହେବାରେ ଲାଗିଛି। ଅନ୍ୟ ଗୋଷ୍ଠୀର ବେଣୁଧର ଜେନାଙ୍କ କହିବା କଥା ଯେ ଯନ୍ତ୍ରୀଙ୍କ ନାମରେ ଏହି କାମ ଥିବାବେଳେ ଯନ୍ତ୍ରୀ ଆମକୁ କାମ କରିବାକୁ କହିଛନ୍ତି। ତେଣୁ ଆମେ କାମ ଆରମ୍ଭ କରିବାକୁ ଯିବାବେଳେ ସେମାନେ ଅଯଥାରେ ବିରୋଧ କରୁଛନ୍ତି ବୋଲି କହିଛନ୍ତି।


