ମୁଖ୍ୟ ରାସ୍ତା ସହ ସଂଯୋଗ ଦାବି କରି ଗ୍ରାମବାସୀଙ୍କ ବିକ୍ଷୋଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକର ସାପଲାଗୁଡା ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରି ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇ ବିକ୍ଷୋଭ ପ୍ରଦଶନ କରିଛନ୍ତି । ଏନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ମୋହନା ବ୍ଲକ କାର୍ଯାଳୟକୁ ଘେରାଉ କରି ଆନ୍ଦୋଳନ କରାଯିବ ବୋଲି ଏହି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି. ୨୫ବର୍ଷ ତଳେ ଖାଦ୍ୟାଭାବରୁ ଆମ୍ବଟାକୁଆ ଖାଇ ଏହି ଗା’ର ଏକ ପରିବାରର ତିନି ଜଣ ଏଠାରେ ପ୍ରାଣ ହରାଇଥିଲେ। ଏହି ଘଟଣା ସେତେବେଳେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ତତ୍କାଳୀନ ବିଧାୟକ ଓ ସାଂସଦ ଚାଲି ଚାଲି ଯାଇ ସେହି ଗାଁରେ ପହଞ୍ଚିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗାଁକୁ ସାମିଲ କରାଯାଇ ପକ୍କାରାସ୍ତା ନିର୍ମାଣ ହୋଇଥିଲା। ହେଲେ, ଏବେ ସେହି ରାସ୍ତା ସଂପୂର୍ଣ୍ଣ ଖରାପ ହୋଇଯାଇଛି। ବର୍ତ୍ତମାନ ସେହି ଗ୍ରାମ ଦେଇ ପୂର୍ତ୍ତ ବିଭାଗ ଦ୍ବାରା ରାସ୍ତା ନିର୍ମାଣ ଚାଲିଛି। ହେଲେ ମୁଖ୍ୟରାସ୍ତା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏହି ଗାଁ ରାସ୍ତାରେ ପୁଣି ପିଚୁ ପକାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେମାନେ ପ୍ରଥମେ ଠିକାଦାରକୁ ଅନୁରୋଧ କରିଥିଲେ । ସେ ରାଜି ନ ହେବାରୁ ପୂର୍ତ୍ତ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ହେଲେ, ବିଭାଗ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ଗ୍ରାମବାସୀ ଗାଁ ରାସ୍ତାକୁ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ମୁଖ୍ୟରାସ୍ତା ସହ ସଂଯୋଗ କରି ରାସ୍ତାରେ ପୁଣି ପିଚୁ ଢଳାଯାଇ ମରାମତି କରାଯାଉ ନଚେତ୍, ଆଗାମୀ ଦିନରେ ମୋହନା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଗ୍ରାମରେ ୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ମାତ୍ର ଦୁଇଶହ ମିଟର ରାସ୍ତା ଗ୍ରାମବାସୀଙ୍କ ପାଇଁ ସମସ୍ୟା ହୋଇ ଠିଆ ହୋଇଛି |


