ଚୋରଗଡ଼ିଆ ଗାଁରୁ ଜବର ଦଖଲ ଉଛେଦ ଦାବିରେ ତହସିଲ ଘେରାଉ କଲେ ଗ୍ରାମବାସୀ
ହାଟଡିହି (ଓ୍ବାଇଏନଏସ): ଜବର ଦଖଲ ଉଛେଦ ଦାବିରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଚୋରଗାଡ଼ିଆ ଗ୍ରାମବାସୀ ଆଜି ତହସିଲ ଘେରାଉ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମରେ ୮ଏକର ସରକାରୀ ଜମି ଥିବାବେଳେ ଗ୍ରାମର କିଛି ବ୍ୟକ୍ତି ଅନେକ ଜମି ଜବର ଦଖଲ କରି ନେଇଛନ୍ତି। ଏପରିକି ଗାଁ ଭିତରକୁ ଆମ୍ବୁଲାନ୍ସ କି ଦମକଳ ଟିଏ ମଧ୍ୟ ଯାଇ ପାରୁନାହିଁ । ଫଳରେ ଗାଁ ଲୋକେ ନାନା ଅସୁବିଧା ଭୋଗ କରୁଛନ୍ତି। ଚୋରଗଡ଼ିଆ ଗ୍ରାମର ସରକାରୀ ଜମି ମାପ ଓ ସୀମା ଚିହ୍ନଟ ପାଇଁ ୨୦୧୯ ମସିହାରୁ ବାରମ୍ବାର ଆବେଦନ କରାଯାଇଛି। କିନ୍ତୁ ତହସିଲ ପ୍ରଶାସନର ମନ୍ଥର ଗତି ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରୁନାହିଁ। ଏହି ଜମି ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବା ଯୋଗୁଁ ଗ୍ରାମର ରାସ୍ତା ସମ୍ପ୍ରସାରଣ ହୋଇପାରୁନାହିଁ। ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ ଜରୁରୀକାଳୀନ ସମୟରେ ଗ୍ରାମ ଭିତରକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ରୋଗୀଙ୍କୁ ମୁଖ୍ୟ ରାସ୍ତାକୁ ବୋହି ଆଣିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗ୍ରାମର ବିକାଶମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏନେଇ ପୂର୍ବରୁ ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ରାଜସ୍ବ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ତହସିଲକୁ ଆସୁଥିଲେ ବି ତହସିଲଦାରଙ୍କୁ ସାକ୍ଷାତ ନପାଇ ଫେରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଗାଁରୁ ଜବର ଦଖଲ ହଟାଇବା ପାଇଁ ଗୋବର୍ଧନ ସାହୁ, ଭାଗିରଥି ନାୟକ, ସୁଧାଂଶୁ ଶେଖର ଜେନା, କୋଦଣ୍ଡ ଦାସ, ଲଛମନ ବେହେରା, ମାର୍କଣ୍ଡ ବେହେରା, ନବଘନ ସାହୁ, କୈଳାସ ନାୟକ, ଅଖିଳ ଦାସ, ବୀରବର ଦାସ, କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀଧର ସାହୁ, ରବୀନ୍ଦ୍ର ଦାସ, ମନୋରଞ୍ଜନ ନାୟକ, ନରେନ୍ଦ୍ର ସାମଲ, ସୌଭାଗ୍ୟ, ସନ୍ଦୀପ ସାମଲ ଏବଂ ରାମଚନ୍ଦ୍ର ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଦାବି କରିଛନ୍ତି।


