ଅନ୍ଧାରରେ କେ.ବାଲିପାଳ ଗ୍ରାମ ପଞ୍ଚାୟତର ୯ୱାର୍ଡ : ମିଳୁନି କିରୋସିନି, ଟର୍ଚ୍ଚ ଆଲୁଅ କାଠଜଳା ଆଲୁଅ ହିଁ ସାହା ଭରଷା

ହାଟଡିହି (ବିକାଶ ବିଶ୍ବାଳ): ଅନ୍ଧାରରେ କେ.ବାଲିପାଳ ଗ୍ରାମ ପଞ୍ଚାୟତର ୯ଗୋଟି ୱାର୍ଡ ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ମିଳୁନି କିରୋସିନି, ଟର୍ଚ୍ଚ ଆଲୁଅ କାଠଜଳା ଆଲୁଅ ହିଁ ସାହା ଭରଷା ପାଲଟିଛି। ସରକାର ଗାଁ ଗୁଡ଼ିକୁ ବିଦ୍ୟୁତ ଯୋଗାଇଦେବା ପାଇଁ କେତେ କଣ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ କେ.ବାଲିପାଳ ପଞ୍ଚାୟତର କେ.ବାଲିପାଳ, ମଲ୍ଲିପଶି , ସରମୁଣ୍ଡି , ମୟୁରନଚା, ଭଅଁରା,  ରାଇଘାଟି ଆଦି ଗ୍ରାମର ଲୋକେ ବିଦ୍ୟୁତ ଆଲୁଅ ଦେଖି ପାରିଲେନି। ଅନେକ ବର୍ଷ ତଳୁ କିଛି କିଛି ଗ୍ରାମକୁ ସୋଲାର ଲାଇଟ୍ ଦିଆ ଯାଇଥିଲା ବେଳେ ସେଗୁଡିକ ଅଚଳ ହୋଇ ପଡିଛି। ଫଳରେ ଅନ୍ଧାରୀ ଜୀବନ ଅତିବାହିତ କରୁଛନ୍ତି ଏଠାକାର ଲୋକେ।   କେ ବାଲିପାଳ ପଞ୍ଚାୟତର ୯ଟି ୱାର୍ଡରେ ତିନି ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ସ୍ବାଧୀନତାର ୭୮ବର୍ଷ ପରେ ବି ଆଜି ପର୍ଯ୍ୟନ୍ତ ସେମାନେ ବିଜୁଳି ଆଲୁଅ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ସଞ୍ଜ ନଇଁଲେ ଗାଁ ଅନ୍ଧାର | ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମ୍ଭବ ହେଉନି। ଏବେ ଯୋଗାଣ ବିଭାଗ ପକ୍ଷରୁ କିରୋସିନି ଯୋଗାଣ ବନ୍ଦ ହୋଇଯାଇ ଥିବାରୁ ଆଦିବାସୀ ମାନଙ୍କ ଜୀବନ ଯନ୍ତ୍ରଣା ଦୁର୍ବିସହ ହୋଇ ପଡିଛି। କିରୋସିନ ଲିଟର ପିଛା ୧୩୦ଟଙ୍କା ହୋଇଥିବାରୁ ରାତିରେ ଡିବିରି ଜାଳିବା ମଧ୍ୟ ଗରିବ ଆଦିବାସୀଙ୍କ ପକ୍ଷରେ କଷ୍ଟସାଧ୍ୟ ହେଉଛି। ରାତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବେଳେ ହେଉକି ଖାଦ୍ୟ ରନ୍ଧାବଡା,ଖାଇବା ସମୟରେ ଓ ପିଲାଙ୍କ ପାଠପଢା ସମୟରେ ଏକ ମାତ୍ର ଭରଷା ଟର୍ଚ୍ଚ ଲାଇଟ୍ କିମ୍ବା ଜଙ୍ଗଲ ର ଶୁଖିଲା କାଠ।  ଫଳରେ ଲୋକମାନେ ଚାର୍ଜ ଟର୍ଚ୍ଚ ଓ ଶୁଖିଲା ଜାଳକାଠକୁ ଜାଳି ଅନ୍ଧାର ଦୂରୀଭୂତ କରି ପାଠ ପଢା ଓ ଖାଇବା ପିଇବା କରୁଛନ୍ତି। ସେମାନଙ୍କର ସମସ୍ୟା ନିଜ ଆଖିରେ ନଦେଖିଲେ କେହି ସହଜରେ ବିଶ୍ଵାସ କରିବେ ନାହିଁ। ଟର୍ଚ୍ଚ ଲାଇଟ ର ଚାର୍ଜ ସରିଗଲେ ପରଦିନ ୧୦/୧୨ କିଲୋମିଟର ଦୂରରେ ଥିବା ଗାଁ କୁ ନେଇ କୌଣସି ସମ୍ପର୍କୀୟ ଙ୍କ ଘରେ ଚାର୍ଜ କରି ଆଣିବାକୁ ପଡୁଛି। ମୋବାଇଲ କଥା ନକହିବା ଭଲ। ଗ୍ରାମ ଗୁଡ଼ିକୁ ବିଦ୍ୟୁତ ଯୋଗାଣ ପାଇଁ ସେମାନେ ବାରମ୍ଵାର ଅଭିଯୋଗ କରି ଆସୁଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ବର୍ତ୍ତମାନ ର ମୂଖ୍ୟମନ୍ତ୍ରୀ ଥିବା ମୋହନ ମାଝୀ ବିଧାୟକ ଥିବା ବେଳେ ଏହି ଅଞ୍ଚଳକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ସେମାନଙ୍କ ଦାବି ଜଣାଇ ଥିଲେ । ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନ୍ୟବର ବି.ଡି.ଓ ଙ୍କ ଠାରୁ ଆରମ୍ଭ କରି ମାନ୍ୟବର ଜିଲ୍ଲାପାଳ, ମାନ୍ୟବର ରାଜ୍ୟପାଳ ଓ ମହାମହିମ୍ ଭାରତର ରାଷ୍ଟ୍ରପତିଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇନି। ନିର୍ବାଚନ ପରେ ନିର୍ବାଚନ ଆସୁଛି, ନିର୍ବାଚନ ବେଳେ ରାଜନେତା ମାନେ ଗାଁ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି ହେଲେ କୌଣସି ପ୍ରତିଶ୍ରୁତି ପୂରଣ ହେଉନି ବୋଲି ବୁଦ୍ଧିରାମ ପୂର୍ତ୍ତି, ସୁନାରାମ ପୂର୍ତ୍ତି,ରାଉତ ହୋ,ବ୍ରଜ ହେମ୍ବ୍ରମ,ଲାଦୁ ଗୋଇପାଇ,ମୁଚିରାମ ହୋ,ଜେନା ମହାକୁଡ଼, ରାମଚନ୍ଦ୍ର ଟୁଡୁ, ହେମନ୍ତ ମାଝୀ,ସାଉଁରୀ ପୂର୍ତ୍ତି,ଆରତି ମୁର୍ମୁ,କାନ୍ଦିରୀ ସୋରେନ,ମାନ୍ୟା ସୋରେନ,ପାନ ସୋରେନ, ଗୁରୁବାରୀ ପୂର୍ତ୍ତି,ମେଚ ବିଦ୍ରା,ସୁମୀ ଫୁର୍ତ୍ତି,ସୁତୁରୀ ପୂର୍ତ୍ତି, ରାଉତ କାଣ୍ଡିହାଂ,ନରି ନାଇକ, ଭାଗିରଥି,ନାଇକ ପ୍ରମୁଖ ଅଭିଯୋଗ କରିଛନ୍ତି। ମୂଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ହୋଇଥିବାରୁ ଏଥର ତାଙ୍କ ଦାବି ପ୍ରତି ଗୁରୁତ୍ବ ଦେବେ ବୋଲି ସେମାନେ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ