ପୋଲସରା ବିଧାୟକ ତଥା ମନ୍ତ୍ରୀଙ୍କ ପାଇଁ ସତର୍କ ଘଣ୍ଟି
ପୋଲସରା, (ଓ୍ବାଇଏନଏସ): ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଳକର ଝିଟିକାବାଡି ଅଙ୍ଗନୱାଡି କର୍ମୀ ଓ ବିଜେପି ନେତା କ୍ୟାମ୍ପ ବାଢେଇ ମଧ୍ୟରେ ପରସ୍ପର ବିରୋଧରେ ଆଗତ ପୋଲିସ କେଶ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପାଇଁ ଏକ ସତର୍କ ଘଣ୍ଟି ସଦୃଶ୍ୟ। କ୍ୟାମ୍ପ ବଢ଼େଇ ବର୍ତ୍ତିନି ଅଙ୍ଗନୱାଡି କର୍ମୀ ପ୍ରତିମା ପରିଡା ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ପ୍ରତିମା ପରିଡା କେଶ କରିଥିବା ବେଳେ ଅଙ୍ଗନୱାଡି କର୍ମୀ ପ୍ରତିମା ପରିଡା କାର୍ଯ୍ୟରେ ଅବହେଳା କରିଥିବା ନେଇ ଅଭିଯୋଗ କରିବାରୁ ମିଥ୍ୟାରେ ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ନେଇ ଅଙ୍ଗନୱାଡି କର୍ମୀ ବିରୁଦ୍ଧରେ ପାଲଟା କେଶ କରିଛନ୍ତି। ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ ସତ୍ୟନାରାୟଣ ଦାସ ବହୁ ପୂର୍ବରୁ ଭାରତୀୟ ଜନତା ପାର୍ଟିର କର୍ମୀଭାବେ କାର୍ଯ୍ୟ କରିଆସୁଛନ୍ତି। ଶିକ୍ଷକତା ଜୀବନରୁ ଅବସର ନେବାପରେ କ୍ୟାମ୍ପ ବାଢେଇ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସମର୍ଥନ କରି ବିଜେପିରେ ଯୋଗଦେଇଛନ୍ତି। ବର୍ତ୍ତମାନ ସତ୍ୟନାରାୟଣ ଦାସ ଓ କାମ୍ପ ବାଢ଼େଇ ଉଭୟେ ବିଜେପି କର୍ମୀ ଅଟନ୍ତି। ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ ସତ୍ୟନାରାୟଣ ଦାସ କହିବା ପ୍ରକାରେ ମନ୍ତ୍ରୀଙ୍କ ପ୍ରତିନିଧି କ୍ୟାମ୍ପ ବାଢେଇଙ୍କ ମାନସିକ ନିର୍ଯ୍ୟାତନା ବିଷୟରେ ସେ ବିଜେପିର ସମସ୍ତ କର୍ମକର୍ତ୍ତା ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଅବଗତ କରିବା ସ୍ଵତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରିବା ବଦଳରେ କ୍ୟାମ୍ପ ବାଢ଼େଇ ଓ ଅନ୍ୟମାନେ ଚାକିରିରୁ ବାହାର କରିଦେବୁ ବୋଲି ଧମକ ଦେଇଥିଲେ। ଯାହା ଦ୍ୱାରା ବାଧ୍ୟହୋଇ ଅଙ୍ଗନୱାଡି କର୍ମୀ ଆଇନର ଆଶ୍ରୟ ନେଇଥିବା କହିଥିଲେ। ମନ୍ତ୍ରୀଙ୍କ ପ୍ରତିନିଧି କ୍ୟାମ୍ପ ବାଢେଇ ବୋଲି ସତ୍ୟନାରାୟଣ ଦାସ ମିଡିଆ ଆଗରେ କହିବା ପରେ ମନ୍ତ୍ରୀ ସଫେଇ ଦେଇ କ୍ୟାମ୍ପ ବଢ଼େଇ ତାଙ୍କର ପ୍ରତିନିଧି ନୁହଁନ୍ତି ବୋଲି ପ୍ରକାଶ କରିବା ସହ କ୍ୟାମ୍ପ ବାଢେଇ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସେ, ମନ୍ତ୍ରୀଙ୍କ ପ୍ରତିନିଧି ନୁହଁନ୍ତି ବୋଲି ପ୍ରକାଶ କରିଥିଲେ। ମାତ୍ର ପୋଲସରା ବ୍ଳକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ କ୍ୟାମ୍ପ ବଢ଼େଇ ଯୋଗଦେଇ ଥିବା ବେଳେ ଶ୍ରୀ ବାଢେଇଙ୍କୁ ମନ୍ତ୍ରୀଙ୍କ ପ୍ରତିନିଧି ବୋଲି ସମ୍ବୋଧନ କରାଯାଇଥାଏ। ଏଥିସହ ବିଭିନ୍ନ ପତ୍ରିକାରେ ମନ୍ତ୍ରୀଙ୍କ ପ୍ରତିନିଧି କ୍ୟାମ୍ପ ବଢ଼େଇ ବୋଲି ଖବର ପ୍ରକାଶ ପାଇଥାଏ। ବିଭିନ୍ନ ପତ୍ରିକାରେ ବହୁବାର ମନ୍ତ୍ରୀଙ୍କ ପ୍ରତିନିଧି କ୍ୟାମ୍ପ ବଢ଼େଇ ବୋଲ ପ୍ରକାଶ ହୋଇଥିବା ବେଳେ କ୍ୟାମ୍ପ ବାଢେଇ କାହିଁକି ସାମ୍ବାଦିକ ସମ୍ମିଳନୀ କରି ବା ବିବୃତି ମାଧ୍ୟମରେ ସେ ମନ୍ତ୍ରୀଙ୍କ ପ୍ରତିନିଧି ନୁହଁନ୍ତି ବୋଲି ପ୍ରକାଶ କରିନଥିଲେ ? ସତ୍ୟନାରାୟଣ ଦାସ ବିଜେପି କର୍ମୀ ହୋଇଥିଲେ ମଧ୍ୟ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ୧୦ ବର୍ଷ ମଧ୍ୟରେ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପରିଡାଙ୍କ ବିରୁଦ୍ଧରେ ବିଜେଡି କର୍ମୀମାନେ କୌଣସି ଅଭିଯୋଗ କରିନଥିବା ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟ ଦକ୍ଷତାର ଜ୍ୱଳନ୍ତ ପ୍ରମାଣ। ସତ୍ୟନାରାୟଣ ଦାସ ମନ୍ତ୍ରୀଙ୍କ ସମେତ ସମସ୍ତ ପାର୍ଟି କର୍ମକର୍ତ୍ତାଙ୍କୁ କହିଥିବା ବେଳେ ଚାପର ବଶବର୍ତ୍ତୀ ହୋଇ ସମାଧାନ ହୋଇପାରିନଥିବା ଲୋକେ କହୁଛନ୍ତି। ଲୋକଙ୍କ ମୁଖରୁ ଯାହା ଶୁଣା ଯାଉଛି, ଉଠା ଜଳସେଚନ କେନ୍ଦ୍ର ପାଇଁ ବିବାଦ ଯୋଗୁଁ ଶ୍ରୀ ବାଢେଇ ଅଙ୍ଗନୱାଡି କର୍ମୀଙ୍କ ବିରୁଦ୍ଧରେ କୁଆଡେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଉଚ୍ଚ ଅଫିସର ଅନୁସନ୍ଧାନକୁ ଆସି ଅଙ୍ଗନୱାଡି କର୍ମୀଙ୍କ କୌଣସି ଭୁଲ ନଥିବା ପ୍ରକାଶ କରିଥିବା ଜଣାପଡିଛି।


