’ଆମେ ଜାଣିବା ଆମ ବଜେଟ ୨୦୨୬’ କାର୍ମଶାଳା ଅନୁଷ୍ଠିତ
ବାଲେଶ୍ୱର,(ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିୟମ ହଲ ଠାରେ ଜିଲ୍ଳା ପ୍ରଶାସନ ଆନୁକୁଲ୍ୟରେ “ଆମେ ଜାଣିବା ଆମ ବଜେଟ ୨୦୨୬” ଉପରେ ଏକ କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହା ଓଡ଼ିଶା ସରକାରଙ୍କ ବାର୍ଷିକ-ବଜେଟ, ୨୦୨୬-୨୭ ନିମନ୍ତେ ସଚେତନତା କାର୍ମଶାଳା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଶ୍ରୀଯୁକ୍ତ ଭୂପେନ୍ଦ୍ର ସିଂ ପୁନିଆ ଓ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟିକା, ବସ୍ତା, ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇଥିଲେ । ତାଙ୍କ ସହିତ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବାଲେଶ୍ୱର ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଉପ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟ ଓ ଡେପୁଟି ଡାଇରେକ୍ଟର ପ୍ଲାନିଂ, ଶ୍ରୀଯୁକ୍ତ ହେମନ୍ତ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଶା ସରକାରଙ୍କ ଦ୍ଵାରା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଅଟକଳ କରାଯାଇଛି । ବାର୍ଷିକ ବଜେଟ୍, ୨୦୨୬-୨୭ ପାଇଁ ଶିକ୍ଷା କ୍ଷେତ୍ରରେ ୪୨,୫୬୫ କୋଟି ଟଙ୍କା, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୨୩,୧୮୨ କୋଟି ଟଙ୍କା, ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୫,୨୦୮ କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୪୨,୪୯୨ କୋଟି ଟଙ୍କା, ଗ୍ରାମୀଣ ବିକାଶ କ୍ଷେତ୍ରରେ ୪୪,୩୦୯ କୋଟି ଟଙ୍କା, ନଗର ଉନ୍ନୟନ କ୍ଷେତ୍ରରେ ୧୦,୭୩୮ କୋଟି ଟଙ୍କା, ମହିଳା ସଶକ୍ତିକରଣ କ୍ଷେତ୍ରରେ ୧୮,୯୫୭ କୋଟି ଟଙ୍କା, କ୍ରୀଡା କ୍ଷେତ୍ରରେ ୧,୪୦୦ କୋଟି ଟଙ୍କାର ବଜେଟ ଅଟକଳ ହୋଇଥିବା ବେଳେ ଆହୁରି ଅନେକ ଦିଗ ଉପରେ ଧ୍ୟାନ ରଖାଯାଇଛି ।
ଏଠାରେ ସରକାରୀ ଓ ଶିଳ୍ପ ସଂସ୍ଥାର ଅଧିକାରୀ ମାନେ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ଏବଂ ବୁଦ୍ଧିଜୀବୀ ଗଣ ଏହି ବଜେଟ ଉପରେ ନିଜର ମତାମତ ରଖିବା ସହିତ ବାଲେଶ୍ୱର ଜିଲ୍ଳାର ଉନ୍ନତି ପାଇଁ ବଜେଟ ରେ ସ୍ଥାନ ଦେବା ପାଇଁ ସଚିବଙ୍କୁ ପରାମର୍ଶ ଦେଇଥିଲେ ।


