ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ସପ୍ତାହବ୍ୟାପୀ ଶୈକ୍ଷିକ କାର୍ଯ୍ୟକ୍ରମ ଉଦଯାପନ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଶୈକ୍ଷିକ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ପ୍ରତ୍ୟେକ ଦିନ ଚାରିଜଣ ଓ ମୋଟ ୨୮ ଜଣ ବିଷୟ ବିଶେଷଜ୍ଞ ଭାରତୀୟ ଜ୍ଞାନ ପରମ୍ପରା ଓ ଜାତୀୟ ଶିକ୍ଷାନୀତି ୨୦୨୦ ର ଏକ ସାମଗ୍ରିକ ଅନୁଶୀଳନ କରିବା ସହ ସାହିତ୍ୟ, ବିଜ୍ଞାନ, ଦର୍ଶନ ଓ ସମାଜତତ୍ତ୍ଵ ପରି ପ୍ରତ୍ୟେକ ବିଷୟର ପାରମ୍ପରିକ ଉତ୍ସକୁ ଅନୁଧ୍ୟାନ କରି ଉପସ୍ଥାପନ କରିଥିଲେ। ଆଜି ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଜଗନ୍ନାଥ ପଣ୍ଡା। ନିଜ ବକ୍ତବ୍ୟରେ ସେ ଭାରତୀୟ ଜ୍ଞାନ ପରମ୍ପରାର ମହତ୍ତ୍ଵ ଉପସ୍ଥାପନ ପୂର୍ବକ ଏହାର ପୁନରୁଜ୍ଜୀବନ ନିମନ୍ତେ ନିଆଯାଇଥିବା ପଦକ୍ଷେପକୁ ସମୁଚିତ ବୋଲି ମନ୍ତବ୍ୟ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ କୁଳସଚିବ ଶ୍ରୀମତୀ ପାର୍ବତୀ ମଜଂରୀ ମହାଲିକ ମଞ୍ଚାସୀନ ଥିଲେ। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମର ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସଂଯୋଜକ ପ୍ରାଧ୍ୟାପକ ଡ. ଯତୀନ କୁମାର ବିଷୋୟୀ। ଉପସଂଯୋଜକ ଭାବରେ ତାଙ୍କର ସହାୟତା କରିଥିଲେ ଡ. ବିଭୂତି ପ୍ରସାଦ ବାରିକ ଏବଂ ଡ. ଯଜ୍ଞଦତ୍ତ ନାୟକ। ଉଦଯାପନୀ ଉତ୍ସବରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଏପରି ଏକ କାର୍ଯ୍ୟକ୍ରମର ସଫଳତା ନିମନ୍ତେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଆନ୍ତରିକ ପ୍ରେରଣା, କୁଳସଚିବ ଶ୍ରୀମତୀ ପାର୍ବତୀ ମଜଂରୀ ମହାଲିକଙ୍କର ସକ୍ରିୟ ସହଯୋଗ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସହଯୋଗ ନିମନ୍ତେ ସାଧୁବାଦ ଜଣାଇଥିଲେ। ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ଶତାଧିକ ଅଧ୍ୟାପକ ଓ ଅଧ୍ୟାପିକା ଏଥିରେ ଯୋଗଦେଇଥିଲେ। ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଯାପନୀ ସମାରୋହରେ ପ୍ରଫେସର ସଚ୍ଚିଦାନନ୍ଦ ପାଢ଼ୀଙ୍କ ରଚିତ ‘ ଭଗବତ୍ ଗୀତା : ଅମୃତ ସଂକଳନ ‘ ପୁସ୍ତକଟି ବଣ୍ଟନ କରାଯାଇଥଲା।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ଆଇ. କ୍ୟୁ. ଏସ. ସି ସଂଯୋଜକ ଡ. ଗୌତମ ସାବତ ସମେତ ବିଶେଷ କରି ଏହି କାର୍ଯ୍ୟକ୍ରମର ପରିଚାଳନା ରେ ଅଧ୍ୟାପିକା ଡ. ରଶ୍ମିତା ପଣ୍ଡା ଏବଂ ଶ୍ରୀ ପିଙ୍କୁ କୁମାର ସାହୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ରେଭେନସା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା କୁଳପତି ପ୍ର. ଗୌରାଙ୍ଗ ଚରଣ ଦାଶ ସମ୍ମାନିତ ଅତିଥି ତଥା ବିଷୟ ବିଶାରଦ ଭାବରେ ଏପରି ଏକ କାର୍ଯ୍ୟକ୍ରମ ନିମନ୍ତେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଭାଗନେଇଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଯୋଗଦାନ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରୀ ସୁବ୍ରତ ପାଣିଗ୍ରାହୀ ଓ ଡ. ନିବେଦିତା କର ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଜନିତ ନିଜର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡ. ବିଭୂତି ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ