ଆଇଆରପିଏମ ବିଭାଗର ନବାଗତଙ୍କୁ ସ୍ୱାଗତ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗର +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ +୩ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେପ୍ଟେମ୍ବର ୧୨ ତାରିଖ ଦିନ ସ୍ୱାଗତ ଜଣାଇଥିଲେ। ନବାଗତଙ୍କୁ ସ୍ୱାଗତ ଜଣାଇବା ପାଇଁ ଆଇଆରପିଏମ ବିଭାଗ ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ଆଇକିୟୁଏସି ସଂଯୋଜକ ତଥା ପଦାର୍ଥ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଆକାଉଣ୍ଟ ବର୍ସର ଅଧ୍ୟାପକ ଡକ୍ଟର ହିମାଂଶୁ ଶେଖର ରଥ, ପ୍ରଶାସନିକ ବର୍ସର ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ ଏବଂ ଆଇଆରପିଏମ ବିଭାଗର ଅଧ୍ୟାପିକା ସୁରଜିତା କୁମାରୀ ସାହୁ ଓ ଚିନ୍ମୟୀ ପାତ୍ର ଯୋଗଦେଇଥିଲେ। ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ପ୍ରଥମେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ। ଏହାପରେ ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ଭାବର ଆଦାନ ପ୍ରଦାନ ହୋଇଥିଲା। ସମସ୍ତ ଅତିଥି ବୃନ୍ଦ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରି କଲେଜରେ ଶାନ୍ତି ବଜାୟ ରଖିବା ସହ ବିଭାଗର ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅଧ୍ୟାପିକା ଚିନ୍ମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।