ଅଧ୍ୟାପକ ଅଧ୍ୟାପିକାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ହାଟଡିହି (ପାର୍ଥ ସୌରଭ ସା): ଛେନାପଦି ଛକ ସ୍ଥିତ ବିଶ୍ବ ତାରିଣୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ନବ ନିଯୁକ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ବାଗତ ସମ୍ବଦ୍ଧନା ଦିଆ ଯାଇଛି। ଏହି ମହିଳା ବିଦ୍ୟାଳୟରେ ୨୩୧ ଜଣ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣେ ପରେ ଜଣେ ଅଧ୍ୟାପକ ଅଧ୍ୟାପିକା ଅବସର ନେଇ ଯିବାରୁ ଅଧ୍ୟାପକ ଅଭାବରୁ ଶିକ୍ଷାଦାନ ଠିକ୍ ଭାବରେ ହୋଇପାରୁ ନଥିଲା। ଏନେଇ ବାରମ୍ବାର ଦାବିପରେ ସରକାରଙ୍କ ପକ୍ଷରୁ ଏବେ ୪ଜଣ ଅଧ୍ୟାପିକା, ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ବିଦ୍ୟାଳୟର ଅଧ୍ଯକ୍ଷା ଶୁଭସ୍ମିତା ପଳିତାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ସ୍ବାଗତ ସମ୍ବଦ୍ଧନା କରାଯିବା ସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଥିଲା। ନବ ନିଯୁକ୍ତ ଓଡିଆ ବିଭାଗର ଅଧ୍ୟାପକ ମନ୍ଦରଧର ରାଉତ, ଶିକ୍ଷା ବିଭାଗର ଅଧ୍ୟାପିକା ଦୀପ୍ତିମୟୀ ସେନାପତି, ରାଜନୀତି ବିଭାଗର ଅଧ୍ୟାପିକା ଶିବାନୀ ଧଳ ଏବଂ ଅର୍ଥନୀତି ବିଭାଗର ଅଧ୍ୟାପିକା ଲୋପାମୁଦ୍ରା ପାଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀ ମାନଙ୍କୁ ଅନେକ ମୂଲ୍ୟବାନ ଉପଦେଶ ମଧ୍ୟ ଦେଇଥିଲେ। ଆଗାମୀ ଦିନରେ ବିଦ୍ୟାଳୟଟି କିପରି ଶିକ୍ଷାଦାନ କ୍ଷେତ୍ରରେ ସୁନାମ ଅର୍ଜନ କରିବ ସେନେଇ ସମସ୍ତେ ଏକଜୁଟ ହୋଇ ଉଦ୍ୟମ କରିବାକୁ ଅଧ୍ୟକ୍ଷା ଶୁଭସ୍ମିତା ପଳିତା ଆହ୍ବାନ ଦେଇଥିଲେ।