ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ
ଆସିକା (ୱାଇଏନ୍ଏସ୍) :ଗ୍ରୀଷ୍ମପ୍ରବାହ ଯୋଗୁଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖରା ଯୋଗୁଁ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବା ସମ୍ଭାବନାକୁ ଏଡାଇ ହେଉନାହିଁ । ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ବେଳେ ଆସିକା ପୌର ପରିଷଦ ପକ୍ଷରୁ ସଦାସର୍ବଦା ଜନଗହଳିପୂର୍ଣ୍ଣ ୧୩ ନମ୍ବର ୱାର୍ଡର ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଅଞ୍ଚଳରେ ଅଦ୍ୟାବଧି ଜଳଛତ୍ର ଖୋଲାଯାଇନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ପ୍ରଶାସନିକ ଅଧିକାରୀଙ୍କୁ ଖରାତାତି ଛୁଇଁନି କି ବୋଲି କେତେକ ମହଲରେ ଚର୍ଚ୍ଚା ମଧ୍ୟ ହେଉଥିବା ଜଣାପଡିଛି । ଆସିକା ସହରର ଅନ୍ୟତମ ବ୍ୟସ୍ତବହୁଳ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ଥିବା ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଅଞ୍ଚଳରେ ପ୍ରଚଣ୍ଡ ଖରାରେ ପିଇବା ପାଣି ମୁନ୍ଦେ ପାଇଁ ବହୁ ପଥଚାରୀ ବିଭିନ୍ନ ସମୟରେ କଲବଲ ହେଉଥିବା ଅଭିଯୋଗ ମଧ୍ୟ ହେଉଛି । ଗ୍ରୀଷ୍ମର ପ୍ରକୋପ ବଢୁଥିବା ବେଳେ ପାନୀୟ ଜଳ ସମସ୍ୟା ଉକ୍ତ ଅଞ୍ଚଳରେ ପଥଚାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମୁଣ୍ଡଫଟା ଖରା ଓ ଅସହ୍ୟ ଗରମରେ ତୁଷାର୍ତ୍ତମାନେ ପାଣିଟୋପାଏ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲା ବେଳେ ସ୍ୱଚ୍ଛଳ ବର୍ଗର ଲୋକେ ପାଣି ବୋତଲ କ୍ରୟ କରି ତାହା ପାନ କରି ôତୃଷା ମେଣ୍ଟାଉଥିବା ଦେଖିବାକୁ ମିଳୁଛି । ଏପ୍ରିଲ ମାସ ଆରମ୍ଭରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇସାରିଥିଲା ବେଳେ ପ୍ରାୟତଃ ଦୈନିକ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହ ସମୟରେ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ଜରୁରୀ ହୋଇପଡିଛି । ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଅଞ୍ଚଳରେ ପଥଚାରୀମାନେ ଜଳକଷ୍ଟରେ ହନ୍ତସନ୍ତ ମଧ୍ୟ ହେଉଥିବା ଚର୍ଚ୍ଚା ହେଉଛି । ଅତୀତରେ ଟାଣ ଖରା ସମୟରେ ପ୍ରଶାସନ ପକ୍ଷରୁ ସହରର ବିନାୟକ ବଜାର-ଲକ୍ଷ୍ମୀ ବଜାର କେନ୍ଦ୍ରସ୍ଥଳରେ ଥିବା ସତ୍ୟ ନାରାୟଣ ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ଜଳସେବା କେନ୍ଦ୍ର ଖୋଲାଯାଇ ଲୋକଙ୍କୁ ଓଆର୍ଏସ୍ ଓ ଗ୍ଳୁକୋଜ୍ ମିଶାଇ ବିଶୁଦ୍ଧ ପାନୀୟ ଜଳ ପଥଚାରୀମାନଙ୍କୁ ଯୋଗାଇ ଦିଆଯାଉଥିଲା । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ବିନାୟକ ବଜାର-ଲକ୍ଷ୍ମୀ ବଜାର ଅଞ୍ଚଳରେ ଜଳସେବା କେନ୍ଦ୍ର ଖୋଲାନଯିବା ଘଟଣାକୁ ନେଇ ସାଧାରଣରେ ଗଭୀର ଉଦ୍ବେଗ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ତ୍ରାହାତ୍ରାହି ଡାକୁଛନ୍ତି ସାଧାରଣ ଜନତା । ଗ୍ରୀଷ୍ମପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଖରା ହେଉଛି ଯେ ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବପର ହେଉନାହିଁ । ଟାଇଁ ଟାଇଁ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ପାରଦ ଉପର ମୁହାଁ ହେବାରେ ଲାଗିଛି । ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଓ ବାଟୋଇ ଛାଇ ଜାଗା ଦେଖି ଅଟକି ଯାଉଛନ୍ତି । ଶୋଷ ଲାଗିଲେ ଥଣ୍ଡା ପାନୀୟ କିମ୍ବା ପାଣିବୋତଲ କ୍ରୟ କରି ତୃଷା ମେଣ୍ଟାଉଛନ୍ତି । ଏହା ସତ୍ତ୍ୱେ ଆସିକା ପୌର ପରିଷଦ ପକ୍ଷରୁ ଅଦ୍ୟାବଧି ବ୍ୟସ୍ତବହୁଳ ବିନାୟକ ବଜାର-ଲକ୍ଷ୍ମୀ ବଜାର ଅଞ୍ଚଳରେ ଜଳଛତ୍ର ଖୋଲାନଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ଥିବା ବିନାୟକ ବଜାର-ଲକ୍ଷ୍ମୀ ବଜାର ଅଞ୍ଚଳର ଜନସାଧାରଣ ଓ ପଥଚାରୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ସହରର ଯୁଦ୍ଧକାଳୀନ ଭିତ୍ତିରେ ଜଳଛତ୍ର ଖୋଲିବା ଦିଗରେ ପଦକ୍ଷେପ ନେବାକୁ କାଉନସିଲର ନିଗମାନନ୍ଦ ରାଉତ ଦୃଢ ଦାବୀ କରିଛନ୍ତି ।


