ଆସିକାରେ କେବେ ଲାଗିବ ମାତୃଭାଷା ଓଡିଆରେ ହୋଡିଂ ?
ଆସିକା (ୱାଇଏନ୍ଏସ୍) : ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରାଯାଉଛି । ତେବେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅଧିକାଂଶ ପ୍ରଶାସନିକ ଅଧିକାରୀଙ୍କ ଦୃଢ ଇଛାଶକ୍ତି ଓ ଆନ୍ତରିକତାର ଅଭାବ ଯୋଗୁଁ ଓଡିଆ ଭାଷାରେ ସାଇନ୍ ବୋର୍ଡ ଏବଂ ହୋଡିଂ ଲେଖାଯିବା ନିୟମ ବାଟବଣା ହୋଇଯାଇଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଓଡିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ ଓ ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ ଦିନ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡିଶା ଗଠନ ହେବା ସ୍ମ୍ମୃତିରେ ପ୍ରତିବର୍ଷ ଏପ୍ରିଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ ଅଟେ । ଆସନ୍ତାକାଲି ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିର ରାଜ୍ୟ ଭାବେ ୯୦ ବର୍ଷରେ ପଦାର୍ପଣ କରିବ । ସରକାରୀ ଅର୍ଥରେ ଖୋଦ୍ ଆସିକା ପୌର ପରିଷଦ ପକ୍ଷରୁ ହଜାର ହଜାର ଟଙ୍କା ବ୍ୟୟ ଅଟକଳରେ କ୍ରୟ କରାଯାଇ ଇଂରାଜୀ ଭାଷାରେ ଲେଖାଥିବା ସ୍ୱଚ୍ଛ ସର୍ବେକ୍ଷଣ ହୋଡିଂ ସାଇନ୍ ବୋର୍ଡ ବିଭିନ୍ନ ସ୍ଥାନରେ ଲଗାଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ଇଂରାଜୀ ଭାଷାରେ ଲେଖାଥିବା ଏହି ସାଇନ୍ ବୋର୍ଡ ଗୁଡିକ ପ୍ରସ୍ତୁତ କରି ମାରିବା ଲାଗି ନିର୍ଦ୍ଦେଶନାମା ଅଛି ନା ବିଭାଗୀୟ ଅଧିକାରୀ ନିଜ ମର୍ଜିରେ ଏଭଳି ସାଇନ୍ ବୋର୍ଡ ପ୍ରସ୍ତୁତ କରି ଲଗାଇଛନ୍ତି ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଓଡିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଏହାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିସାରିଛି । ଓଡିଆ ଭାଷାର ସୁରକ୍ଷା ସହିତ ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି । ତା ସାଙ୍ଗକୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ନାମଫଳକ ଓଡିଆରେ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ତଥାପି ଆସିକା ଅଞ୍ଚଳରେ ଅଧିକାଂଶ ଅନୁଷ୍ଠାନର ନାମଫଳକ ଇଂରାଜୀ ଭାଷାରେ ଲେଖାଯାଇଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଓଡିଆ ଅସ୍ମିତା ନାରା ଦେଇ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲା । ବିଜେପି ସରକାର ଆସିବା ପରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ହେଲା । ସମସ୍ତ ସରକାରୀ ନଥିପତ୍ର, ଚିଠି, ବିଜ୍ଞପ୍ତି, ନିର୍ଦ୍ଦେଶାନାମା ଆଦି ଓଡିଆ ଭାଷାରେ ପ୍ରକାଶ କରିବାକୁ କୁହାଗଲା । ତେବେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏବେ ବି ଆସିକା ଅଞ୍ଚଳରେ ଥିବା ବହୁ ସରକାରୀ କାର୍ଯ୍ୟାଳୟରେ ପୂର୍ବ ପରି ଇଂରାଜୀ ଭାଷାକୁ ସର୍ବାଧିକ ବ୍ୟବହାର କରାଯାଉଥିବା ବେଳେ ଓଡିଆ ଭାଷାକୁ ଗୌଣ କରିଦିଆଯାଉଥିବା ଦେଖିବାକୁ ମିଳୁଛି । ନାଁକୁ କେବଳ କିଛି ସରକାରୀ କାର୍ଯ୍ୟାଳୟ ମଝିରେ ମଝିରେ ଓଡିଆ ଭାଷାରେ ଚିଠି ଲେଖି ଭାଷାପ୍ରୀତି ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ଅଧିକାଂଶ ସମୟରେ ଚିଠି ଗୁଡିକ ଇଂରାଜୀ ଭାଷାରେ ଲେଖାଯାଉଥିବା ଅଭିଯୋଗ ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପଦାଧିକାରୀମାନେ ଇଂରାଜୀ ପ୍ରୀତି ଛାଡିପାରୁ ନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


