ଜିଲ୍ଲା ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ବ୍ୟାପକ ଦୁର୍ନୀତି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୁହର କ୍ରୀଡା ପ୍ରତିଯୋଗିତା ଆୟୋଜନରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ ଦୀର୍ଘ ୧୦ବର୍ଷ ଧରି ଗୋଟିଏ ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ପତ୍ରପୁର ହାଇସ୍କୁଲର କ୍ରୀଡା ଶିକ୍ଷୟିତ୍ରୀ ସ୍ମିତାପ୍ରତିଭା ସାହୁ ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ ଡେପୁଟେସନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସେଠାରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଭାବେ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି। ବହୁ ବରିଷ୍ଠ ଓ ଅଭିଜ୍ଞ କ୍ରୀଡା ଶିକ୍ଷକ ଥିବା ବେଳେ ଶ୍ରୀମତୀ ସାହୁଙ୍କ ଭଳି ଜଣେ କନିଷ୍ଠ କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଦୀର୍ଘ ବର୍ଷ ହେବ ରଖାଯାଇଛି। ଫଳରେ ପ୍ରତିବର୍ଷ ଜିଲ୍ଲାକୁ କ୍ରୀଡାର ଉନ୍ନତି ପାଇଁ ଆସୁଥିବା ପ୍ରାୟ ୬୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରୁ ସିଂହଭାଗ ଅର୍ଥ କେବଳ ହରିଲୁଟ ଓ ବାଟମାରଣା ହେଉଛି। ପ୍ରତିଯୋଗିତାର ନିୟମ ଅନୁଯାୟୀ ପ୍ରଥମେ ମଣ୍ଡଳ ବା ବ୍ଲକ ସ୍ତରରେ କ୍ରୀଡା ପ୍ରତିଯୋଗିତା ଶେଷ ହେବା ପରେ ସେହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାନ୍ତି। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଜିଲ୍ଲା ସଦର ମହକୁମାରେ ହେବାର ବିଧିବ୍ୟବସ୍ଥା ରହିଛି। କିନ୍ତୁ ଏହି ପ୍ରତିଯୋଗିତା ପାଇଁ ଆସୁଥିବା ସରକାରୀ ଅନୁଦାନର ସିଂହଭାଗ ଅର୍ଥକୁ ହରିଲୁଟ କରିବା ଉଦେଶ୍ୟରେ ଦାୟୀତ୍ୱରେ ଥିବା ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଏହି ପ୍ରତିଯୋଗିତାକୁ ଜିଲ୍ଲା ସଦର ମହକୁମାରେ ନକରି ଦୀର୍ଘ ୧୦ବର୍ଷ ଧରି ରାଜକନିକା ବ୍ଲକର ଆର.ଏନ.ହାଇସ୍କୁଲରେ କରାଉଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୫ମସିହାରେ ସେହି ବିଦ୍ୟାଳୟରେ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଜନୈକ ପ୍ରତିଯୋଗୀ ଛାତ୍ରୀଙ୍କୁ ଦାୟୀତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀ ଅସଦ ବ୍ୟବହାର କରିବାରୁ ସଂପୃକ୍ତ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ। ଏହାବ୍ୟତିତ ପ୍ରକୃତରେ ରାଜକନିକାସ୍ଥିତ ଆର.ଏନ.ହାଇସ୍କୁଲରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୁଏ ନାହିଁ। ପ୍ରତିଯୋଗିତାଟି ରାଜକନିକା ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୁଏ। ଯାହା ଆର.ଏନ. ହାଇସ୍କୁଲ ଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ଅବସ୍ଥିତ। ଯେଉଁଠି ଛାତ୍ରଛାତ୍ରୀଙ୍କ ନିମନ୍ତେ ପରିସ୍ରାଗାର କିମ୍ବା ପାଇଖାନାର କୈାଣସି ବ୍ୟବସ୍ଥା ନଥାଏ। ଫଳରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିସହିତ ୨୦୧୫ ମସିହାର ଦୂର୍ଘଟଣା ପରେ ସେଠାରେ କୈାଣସି ଅଂଶଗ୍ରହଣକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାତିରେ ରହଣୀ କରନ୍ତି ନାହିଁ। କିନ୍ତୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ଦୈନିକ ୩ଥର ଖାଇବା ଓ ଅନ୍ୟାନ୍ୟ ବାବଦକୁ ଦସ୍ତଖତ କରାଇ ନିଆଯାଇଥାଏ।ଏଥିସହିତ ବିଭିନ୍ନ ଖର୍ଚ୍ଚ ବାବଦରେ ମିଥ୍ୟା ଭାଉଚର ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଜିଲ୍ଲା ସରର ମହକୁମାରୁ ଦୂରରେ ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ସେହି ପ୍ରତିଯୋଗିତାର ତଦାରଖ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସେଠାକୁ ସବୁଦିନେ ଯିବା ସମ୍ଭବ ହୋଇନଥାଏ। ଫଳରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ତାଙ୍କର ହରିଲୁଟ ଟିମକୁ ଧରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିବା ସହଜ ହୋଇଥାଏ। ଏସମସ୍ତ ବିଷୟ ଜାଣିବା ପରେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ ଚଳିତମାସ ୩୦ ଓ ୩୧ତାରିଖରେ ରାଜକନିକା ଆର.ଏନ.ହାଇସ୍କୁଲରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ବାତିଲ କରିଦେଇଛନ୍ତି। କିନ୍ତୁ ସଂପୃକ୍ତ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଦାୟୀତ୍ୱରେ ଥିବା ଶ୍ରୀମତୀ ସାହୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇ ସେହିଠାରେ ଯେପରି ହେଉ ଉକ୍ତ ପ୍ରତିଯୋଗିତାକୁ କରାଇବା ପାଇଁ କେତେକ ଶିକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ହାତବାରିସୀ କରି ବିଭିନ୍ନ ଫନ୍ଦି ଫିକର ଚଳାଇଛନ୍ତି। ତାଙ୍କ ଯୋଜନାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ପାଇଁ ମଧ୍ୟ ସଂପୃକ୍ତ ଶାରିରୀକ ଶିକ୍ଷା ଅଧିକାରୀ ଉଦ୍ୟମରତ ଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ତେଣୁ ଏସମସ୍ତ ବିଷୟକୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ହରିଲୁଟ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନର ଭିଜିଲାନ୍ସ ତଦନ୍ତ କରାଯିବାକୁ ଆଇନଜୀବୀ ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ଚଳିତବର୍ଷ ପ୍ରତିଯୋଗିତା ଜିଲ୍ଲା ସଦର ମହକୁମାରେ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।


