ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି : ଆଇନମଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଳାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜ ଠାରୁ ଦହିମାଛ ମଧ୍ୟରେ ମାତ୍ର ଦୁଇ କିଲୋମିଟର ରାସ୍ତା ପାଇଁ ଛଅ କୋଟି ୬୭ ଲକ୍ଷ ୭୭ହଜାର ଟଙ୍କାରେ କେନ୍ଦ୍ରାପଡା ୨ନମ୍ବର ପୂର୍ତ୍ତ ଡିଭିଜନ ଏମିତି କାର୍ଯ୍ୟ କରିଲା ଯେ କାମ ସରୁ ସରୁ ଗୋଡ଼ି ଉଠି ରାସ୍ତାରେ ଖାଲଖମା ହୋଇଗଲାଣି। ଏ ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ପାଇଁ ଆବେଦନ କରିବା ପରେ ରାସ୍ତା କାମରେ ହୋଇଥିବା ଦୁର୍ନୀତିକୁ ଚପାଇବାକୁ ଯାଇ ବିଭାଗ ପକ୍ଷରୁ ଅଧାପନ୍ତରିଆ ସୂଚନା ସହିତ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଆଇନ ଅନୁଯାୟୀ ସମସ୍ତ ତଥ୍ୟ ପାଇଁ ଅପିଲ କରିବା ପରେ ଅପିଲର ଶୁଣାଣି ପାଇଁ ନୋଟିସ୍ କରାଯାଉଛି ହେଲେ କର୍ତ୍ତୃପକ୍ଷ ଶୁଣାଣି କରୁ ନାହାନ୍ତି କିମ୍ବା ସମ୍ପୂର୍ଣ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏଥିରେ ହୋଇଥିବା ଦୁର୍ନୀତି ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଗଣତନ୍ତ୍ର ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହୋଇଥିବା ଦୁର୍ନୀତିକୁ ଚପାଇ ଦେବାକୁ ଯାଇ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ଉପରିସ୍ଥ ଅଧିକାରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ତ୍ତ ଡିଭିଜନ-୨ର ଅଧୀକ୍ଷଣଯନ୍ତ୍ରୀ ବେଆଇନ ଭାବେ ଲିଖିତ ଅଭିଯୋଗ କରିଛନ୍ତି। ଏହିସବୁ ଘଟଣାର ପ୍ରତିବାଦ କରି ପାଞ୍ଚ ଦଫା ଦାବି ପୁରଣ ପାଇଁ ସୋମବାର ସକାଳ ୧୦ଟାରୁ ଭୁବନେଶ୍ୱରସ୍ଥିତ ଲୋୟର ପି.ଏମ.ଜି ଛକରେ ହୋଇଥିବା ଦୁର୍ନୀତି ଉପରେ ଆଇଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି ଆବେଦନକାରୀ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଧିନ ମହୁ ଗ୍ରାମର ସ୍ୱର୍ଗତ ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ। ଏଥିସହିତ ପାଞ୍ଚଦଫା ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିନରାତି ଧାରଣା ଦେବେ ବୋଲି ଦୁଷ୍ମନ୍ତ କହିଛନ୍ତି। ପାଞ୍ଚଦଫା ଦାବି ଗୁଡ଼ିକ ହେଉଛି କରଞ୍ଜ ଠାରୁ ଦହିମାଛ ଭାୟା ଗୋଖାପଡ଼ା ରାସ୍ତା ଅତି ନିମ୍ନମାନର କାର୍ଯ୍ୟ ଉପରେ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା, ଏହି ନିମ୍ନମାନର କାର୍ଯ୍ୟରେ ସଂପୃକ୍ତ ସମସ୍ତ ଦୋଷୀ( ସରକାରୀ ଅଧିକାରୀ ଓ ବେସରକାରୀ ଅଧିକାରୀ)ଙ୍କ ଉପରେ ଆଇନଗତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଦୁର୍ନୀତିକୁ ଚପାଇ ରଖିବାକୁ ଯାଇ ସୂଚନା ଅଧିକାର ଆଇନ ଉଲଙ୍ଘନ କରିଥିବା ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ କତୃପକ୍ଷଙ୍କ ଉପରେ ସୂଚନା ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଆବେଦନ ଅନୁଯାୟୀ ସମସ୍ତ ତଥ୍ୟ ପ୍ରଦାନ, ସୂଚନା ଅଧିକାର ଆଇନରେ ତଥ୍ୟ ପାଇଁ ଆବେଦନ କରିବା ଓ ତଥ୍ୟ ପ୍ରଦାନ ପାଇଁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାରୁ ଆବେଦନକାରୀଙ୍କ ବିରୁଦ୍ଧରେ ବେଆଇନ ଅଭିଯୋଗ ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ, ହୋଇଥିବା ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଗଣତନ୍ତ୍ର ଉପାୟରେ ପ୍ରତିବାଦ କରିବା ବେଳେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ନେଇ କେନ୍ଦ୍ରାପଡ଼ା ପୂର୍ତ୍ତ ଡିଭିଜନ ଏସ.ଇ. ବେଆଇନ ଭାବେ କରିଥିବା ଲିଖିତ ଅଭିଯୋଗ ଉପରେ ଆଇନଗତ ତଦନ୍ତ କରି ତୁରନ୍ତ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିକରାଯାଇଛି। ଏହି ଧାରଣାକୁ ସମର୍ଥନ କରି ଆବେଦନକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କ ସହ ମାନସରଞ୍ଜନ ଆଚାର୍ଯ୍ୟ,ରମାକାନ୍ତ ମାହାଳି,ଯଯାତିକେଶରୀ ଆଚାର୍ଯ୍ୟ, ସୁମନ୍ତ ସେଠୀ, ଜନକର ଜେନା, ସୁନିଲ ସାହୁ, ସୁମନ୍ତ ସାହୁ, ମନୁଆ ସ୍ୱାଇଁ, ସୋମନାଥ ସାହୁ ପ୍ରମୁଖ ଧାରଣାରେ ବସିରହିଛନ୍ତି। ସାତଦିନ ଧାରଣାରେ ବସିବା ପରେ ଯଦି ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଧାରଣାକାରୀ ଅଷ୍ଟମ ଦିନରୁ ଆମରଣ ଅନଶନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ