କରଞ୍ଜ – ଦହିମାଛ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି: ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କରଞ୍ଜ- ଦହିମାଛ ଭାୟା ଗୋଖାପଡା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି କରାଯାଇଥିବା ନେଇ କରଞ୍ଜ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ୨ନମ୍ବର ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ମହାକାଳ ପଡା ବ୍ଲକ ଅଧିନ କରଞ୍ଜ ଗ୍ରାମପଞ୍ଚାୟତର “କରଞ୍ଜ- ଦହିମାଛ ଭାୟା ଗୋଖାପଡା” ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ନିମ୍ନମାନର କରାଯାଇ କୋଟି କୋଟି ଟଙ୍କା ହରିଲୁଟ କରାଯିବା ସହ ବ୍ୟାପକ ଦୁର୍ନୀତି କରାଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ନିମ୍ନମାନର ରାସ୍ତା ନିର୍ମାଣ ସମୟରେ ପ୍ରତିବାଦ କରାଯିବା ସହିତ ବିଭାଗୀୟ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଫଳରେ ସଂପୃକ୍ତ ଠିକାଦାର ପ୍ରତିବାଦ କରିଥିବା କେତେକ ଗ୍ରାମବାସୀଙ୍କୁ ଜୀବନରେ ମାରିଦେବାର ଧମକ ଦେଇ ଭୟଭୀତ କରାଇଥିଲେ। ତେଣୁ ସେମାନେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କୁ ନିବେଦନ କରିଥିଲେ। ସୂଚନା ଅଧିକାର କର୍ମୀ ଶ୍ରୀ ଆଚାର୍ଯ୍ୟ ସଂପୃକ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଅଧିକାର ଆଇନରେ ପୂର୍ତ୍ତ ବିଭାଗକୁ ତଥ୍ୟ ମାଗିଥିଲେ। ତାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ଏହି ପ୍ରକଳ୍ପରେ ବହୁ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରାଯାଇ ସରକାରୀ ଅନୁଦାନ ଅର୍ଥକୁ ହରିଲୁଟ କରାଯାଇଛି। ଏହି ପ୍ରକଳ୍ପରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୬କୋଟି ୬୭ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି। ରାସ୍ତା ନିର୍ମାଣର ମାତ୍ର ୬ମାସ ମଧ୍ୟରେ ସେହି ରାସ୍ତାର ଅନେକ ସ୍ଥାନରେ ବଡ ବଡ ଗାଡ ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ଗୋଡି ଉଠିଯାଇଥିବା ଦେଖିବାକୁ ମିଳିଛି। ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି କରାଯାଇଥିବାରୁ ସୂଚନା ଅଧିକାର ଆଇନରେ ସଂପୃକ୍ତ ରାସ୍ତାର ନମୂନା ପ୍ରଦାନ କରାଗଲା ନାହିଁ। ତଥ୍ୟ ପ୍ରଦାନ କରାନଯିବାରୁ ଆବେଦନକାରୀ ଶ୍ରୀ ଆଚାର୍ଯ୍ୟ ପୂର୍ତ୍ତ ଡିଭିଜନ ସମ୍ମୁଖରେ ଧାରଣାରେ ବସିବାରେ ତାଙ୍କ ନାମରେ ବିଭିନ୍ନ ମିଥ୍ୟା ଅଭିଯୋଗକୁ ନେଇ ଖବର ପ୍ରସାରଣ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୨୮ତାରିଖରେ ଭୁବନେଶ୍ୱରସ୍ଥିତ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଧାରଣାରେ ଗ୍ରାମବାସୀମାନେ ସାମିଲ ହେବେ ବୋଲି ଚେତାବନୀ ଦିଆଯାଇଛି। ଜନକର ଜେନା, ସିପୁ ରାଉତ, ସୁମନ୍ତ କୁମାର ସେଠୀ, ଯଯାତି ଆଚାର୍ଯ୍ୟ, ମନୋରଞ୍ଜନ ସ୍ୱାଇଁ, ମାନସ ଆଚାର୍ଯ୍ୟ, ସୁମନ୍ତ ସାହୁ, ବୈକୁଣ୍ଠ ଜେନା, ପିଙ୍କି ଜେନା, ଭୀମସେନ ପ୍ରଧାନ, ଶିଶିର ରାଉତ ଓ ମିଟୁ ରଞ୍ଜିତ ପ୍ରମୁଖ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ଓ ପୂର୍ତ୍ତ ଡିଭିଜନ-୨ର ଅଧୀକ୍ଷଣଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ