ସ୍ୱାମୀଙ୍କ ଆଇନଗତ ପ୍ରତିନିଧି ବା ଅଭିଭାବକ ହୋଇପାରିବେ ପତ୍ନୀ: ଓଡିଶା ହାଇକୋର୍ଟ

କଟକ (ଓ୍ବାଇଏନଏସ): ସ୍ୱାମୀଙ୍କ ଆଇନଗତ ପ୍ରତିନିଧି ବା ଅଭିଭାବକ ହୋଇପାରିବେ ପତ୍ନୀ । ବିଶେଷକରି ସ୍ବାସ୍ଥ୍ୟଗତ କାରଣରୁ ଅଚେତନ ଅବସ୍ଥାରେ ଥିବା ସ୍ବାମୀଙ୍କ ଆଇନଗତ ଅଭିଭାବକ ଭାବରେ ପତ୍ନୀଙ୍କୁ ନିଯୁକ୍ତି ଦିଆଯାଇପାରିବ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଅଚେତନ ଅବସ୍ଥାଗ୍ରସ୍ତ ସ୍ବାମୀଙ୍କ ଅଭିଭାବକ ଭାବେ ପତ୍ନୀଙ୍କୁ ସ୍ବୀକୃତି ଦେବା ସାମ୍ବିଧାନିକ ମୂଲ୍ୟ ଅନୁପରୂପ ବୋଲି କୋର୍ଟ କହିଛନ୍ତି । ଏହା ମଧ୍ୟ ବୈବାହିକ ବନ୍ଧନକୁ ଏକତା, କର୍ତ୍ତବ୍ୟ ଓ ପାରସ୍ପରିକ ରକ୍ଷକ ଭାବେ ମାନ୍ୟତା ପ୍ରଦାନ କରୁଥିବା ପରମ୍ପରା ସହିତ ଜଡିତ ବୋଲି କୋର୍ଟ କହିଛନ୍ତି । ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ପାଇଁ ଜଣେ ବ୍ୟକ୍ତି ଅଚେତନ ଅବସ୍ଥାରେ ମଧ୍ୟ ଦୀର୍ଘ ଦିନ ବଞ୍ଚି ରହିବା ସମ୍ଭବ ହେଉଛି । ଏଭଳି ସ୍ଥିତିରେ ବାସ୍ତବିକ ସ୍ଥିତିକୁ ବିଚାରକୁ ନିଆଯିବା ଉଚିତ । ମାନବୀୟ ଗରିମାକୁ ଅଣଦେଖା ନ କରି ଏପରି ଅକ୍ଷମ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଏଥି ସହିତ ଏକ ବର୍ଷରୁ ଅଧିକ ଦିନ ହେବ ଅଚତେନ ଅବସ୍ଥାରେ ଥିବା ସ୍ବାମୀଙ୍କ ଆଇନଗତ ଅଭିଭାବକ ଓ ପ୍ରତିନିଧି ଭାବେ ପତ୍ନୀଙ୍କୁ ନିଯୁକ୍ତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାମୀଙ୍କ ବୈଧାନିକ ଦାୟିତ୍ବ ସମେତ ବ୍ୟକ୍ତିଗତ, ଆଇନଗତ, ମେଡିକାଲ ଓ ବ୍ୟାବସାୟିକ ମାମଲା ପରିଚାଳନା ପାଇଁ ପତ୍ନୀଙ୍କ ପୂର୍ଣ୍ଣ ଅଧିକାର ରହିବ । ସମସ୍ତ ବ୍ୟାଙ୍କ, ନିୟାମକ ସଂସ୍ଥା ଓ ଅନ୍ୟ କର୍ତ୍ତୃପକ୍ଷ ପତ୍ନୀଙ୍କ ଏପରି ଅଧିକାରକୁ ସ୍ବୀକାର କରି‌ବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ସ୍ବାମୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେବା ‌ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ସେ ଅଚେତନ ଅବସ୍ଥାକୁ ଚାଲି ଯାଇଥିଲେ । ଘରକୁ ଫେରିବା ପରେ ସେ ଚିକିତ୍ସିତ ହେଉଥିଲେ ମଧ୍ୟ ଏକ ପ୍ରକାର ଅକ୍ଷମ ଅବସ୍ଥାକୁ ଚାଲି ଯାଇଥିଲେ । କୌଣସି ନିଷ୍ପତ୍ତି ନେବା ବା କିଛି କହିବା ବା କୌଣସି ନଥିପତ୍ରରେ ଦସ୍ତଖତ କରିବା ସ୍ବାମୀଙ୍କ ପକ୍ଷେ ସମ୍ଭବ ନଥିଲା । ଏଭଳି ଅବସ୍ଥାରେ ସ୍ବାମୀଙ୍କ ବ୍ୟବସାୟ, ଅନ୍ୟ କାରବାର ଓ ପରିବାର ଚଳାଇବା ପାଇଁ ପତ୍ନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କୁ ସ୍ବାମୀଙ୍କ ଅଭିଭାବକ ଭାବେ ସ୍ବୀକୃତି ପ୍ରଦାନ କରାଯାଉ ବୋଲି କୋର୍ଟରେ ପତ୍ନୀ ପ୍ରାର୍ଥନା କରିଥଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ