ବନ୍ଦ ହୋଇଯିବ କି ରାଜ୍ୟ ଖାଉଟି କମିସନ୍‌!

କଟକ, (ଓ୍ବାଇଏନଏସ): ରାଜ୍ୟ ଖାଉଟି ବା ଉପଭୋକ୍ତା ବିବାଦ ସମାଧାନ କମିସନ୍‌ରେ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ମୋଟ୍ ଚାରିଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଆଜି ତିନିଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । କେବଳ କାର୍ଯ୍ୟକାରୀ ସଭାପତିଙ୍କ କାର୍ଯ୍ୟକାଳ ଚାଲୁରହିଛି । ଅବସର ନେଉଥିବା ତିନି ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇନି । ଫଳରେ ରାଜ୍ୟ ଖାଉଟି କମିସନ ଏକପ୍ରକାର ବନ୍ଦ ହେବା ସ୍ଥିତି ସୃଷ୍ଟି ହୋଇଛି । କେବଳ ରାଜ୍ୟ ଖାଉଟି କମିସନ ନୁହେଁ ସବୁ ଜିଲ୍ଲା ଖାଉଟି କମିସନ୍‌ର ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ସରୁଛି । ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଯଦି ଚଳିତମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ରାଜ୍ୟବ୍ୟାପୀ ଖାଉଟି ଅଦାଲତ ଏକରକମ ଠପ୍ ହୋଇଯିବା ନେଇ ଆଶଙ୍କା ଉପୁଜିଛି । ଖାଉଟି ବା ଉପଭୋକ୍ତାମାନଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ତଥା ସେମାନଙ୍କୁ ନ୍ୟାୟ ଦେବା ଲାଗି ଜିଲ୍ଲାସ୍ତରରେ ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ ଏବଂ ରାଜ୍ୟ ସ୍ତରରେ ରାଜ୍ୟ ଖାଉଟି କମିସନ ଗଠନ କରାଯାଇଛି । ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ୍‌ରେ ଜଣେ ସଭାପତି ଓ ୪ଜଣ ସଦସ୍ୟ ରହିବା କଥା । ସଭାପତି ପଦ ଖାଲିପଡ଼ିଥିବାବେଳେ ବର୍ତ୍ତମାନ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୪ଜଣ ସଦସ୍ୟ ରହିଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ ଯେ, ଖାଉଟି କମିସନରେ ଯେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ନୂତନ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଖାଉଟି କମିସନର ତିନି ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଆଇନ ବିଭାଗ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ଏହି ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଚିଠି ମଧ୍ୟ ଲେଖାଯାଇଛି । ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ସେହିପରି ୩୦ଟି ଜିଲ୍ଲାରେ ୩୧ଟି ଜିଲ୍ଲା ଖାଉଟି କମିସନ ରହିଛି । ପ୍ରତ୍ୟେକ ଜିଲ୍ଲା ଖାଉଟି କମିସନରେ ଜଣେ ସଭାପତି ଏବଂ ଦୁଇଜଣ ସଦସ୍ୟ ରହିବା କଥା । ଏହି ହିସାବରେ ଦେଖିଲେ ମୋଟ୍ ୩୧ଜଣ ସଭାପତି ଏବଂ ୬୨ଜଣ ସଦସ୍ୟ ରହିବା କଥା । କିନ୍ତୁ ଏମାନଙ୍କ ସ୍ଥାନରେ ବର୍ତ୍ତମାନ ୧୩ଜଣ ସଭାପତି ଥିଲାବେଳେ ୨୦ଜଣ ସଦସ୍ୟ ରହିଛନ୍ତି । କିନ୍ତୁ ଏହି ୧୩ଜଣ ସଭାପତି ଏବଂ ୨୦ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତମାସ ଶେଷ ସୁଦ୍ଧା ସରିବାକୁ ଯାଉଛି । ଯେହେତୁ ବର୍ତ୍ତମାନ ନୂତନ ନିଯୁକ୍ତି ପାଇଁ ରାଜ୍ୟ ସରକାର କୌଣସି ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ତେଣୁ ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଗଲେ ଏହି ପଦ ସବୁ ଖାଲିପଡ଼ିବା ନିଶ୍ଚିନ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ