ସାବିତ୍ରୀ ବ୍ରତ ପାଳିଲେ ମହିଳା

ଆସିକା (ୱାଇଏନ୍‍ଏସ୍‍) ଓଡିଆ ପର୍ବପର୍ବାଣୀ ଓ ପରମ୍ପରା ମଧ୍ୟରେ ପବିତ୍ର ସାବିତ୍ରୀ ବ୍ରତର ଏକ ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି । ପୌରାଣିକ କଥାବସ୍ତୁ ଆଧାରରେ ସାବିତ୍ରୀ ନିଜର ସତୀତ୍ୱର ପରାକାଷ୍ଟା ବଳରେ ଯମରାଜାଙ୍କ ଠାରୁ ନିଜର ପ୍ରାଣପ୍ରିୟ ପତିଦେବ ସତ୍ୟବାନଙ୍କୁ ବଞ୍ଚାଇ ପାରିଥିଲେ । ସେହି କଥାବସ୍ତୁକୁ ବିଶ୍ୱାସ କରି ସାବିତ୍ରୀରେ ସଧବା ନାରୀମାନେ ନିଜ ସ୍ୱାମୀମାନଙ୍କ ଦାର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ସୋମବାର ପବିତ୍ର ସାବିତ୍ରୀ ବ୍ରତ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଗୁଡିକରେ ସଧବା ମହିଳାମାନଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ସଧବା ମହିଳାମାନେ ଏକତ୍ରିତ ହୋଇ ସମୂହ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସାବିତ୍ରୀ ପୂରାଣ ପାଠ କରିଥିଲେ । କେତେକ ସ୍ଥାନରେ ପୁରୋହିତଙ୍କ ମନ୍ତ୍ରପାଠ ଓ ମହିଳାଙ୍କ ଭାବପୂର୍ଣ୍ଣ ପୂଜାର୍ଚ୍ଚନା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ପବିତ୍ର ସାବିତ୍ରୀ ଓଷା ଅବସରରେ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ନିଜସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥିଲେ । ସେହିପରି ଆସିକା ସହରର ବିଭିନ୍ନ ସାହିବସ୍ତିର ଘରେଘରେ ମଧ୍ୟ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ଲକ୍ଷ୍ୟ କରାଯାଇଥିଲା । ସୋମବାର ପୂର୍ବାହ୍ନରୁ ମହିଳାମାନେ ନୂତନ ଲୁଗା ଓ ଚୁଡି ଅଳଙ୍କାର ପରିଧାନ କରିବା ସହ ନଡିଆ, ତାଳ, ପଣସ, ଆମ୍ବ, ଖଜୁରୀ କୋଳି ଆଦି ନେଇ ମାତା ସାବିତ୍ରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ନିଜ ନିଜ ସ୍ୱାମୀଙ୍କୁ ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା । ଆମ ଶାସ୍ତ୍ର-ପୁରାଣ ପରମ୍ପରାରେ ମୃତ୍ୟୁକୁ ଜୟ କରିଥିବା କାହାଣୀ ମଧ୍ୟରୁ ସାବିତ୍ରୀ ଅନ୍ୟତମ । ସ୍ୱାମୀ ସତ୍ୟବାନ୍‍ଙ୍କ ଆୟୁକାଳ ସ୍ୱଳ୍ପ ଜାଣି ମଧ୍ୟ ସାବିତ୍ରୀ ତାଙ୍କୁ ବିବାହ କରିଥିଲେ ଏବଂ ନିଜର ଦୃଢ ମନୋବଳ ଏବଂ ନିଷ୍ଠା ଯୋଗେ ଯମରାଜାଙ୍କୁ ଜିଣି ସତ୍ୟବାନଙ୍କୁ ପୁନର୍ଜିବିତ କରିଥିଲେ । ତାଙ୍କର ସେହି ନିଷ୍ଠା ଓ ପବିତ୍ରତା ଧର୍ମ ଆମ ସଂସ୍କୃତିରେ ପ୍ରତିଫଳିତ ରହିଆସିଛି । ତାଙ୍କୁ ନେଇ ସାବିତ୍ରୀ ବ୍ରତ ସୃଷ୍ଟି ହୋଇଥିଲା ବେଳେ ଜ୍ୟୋଷ୍ଠ ମାସ ଅମାବାସ୍ୟ ଦିନ ସଧବା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି । ପବିତ୍ର ସାବିତ୍ରୀ ବ୍ରତରେ ହିନ୍ଦୁ ସଂପ୍ରଦାୟର ସବୁ ସଧବା ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା କରିଥାନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସୋମବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ସଧବା ମହିଳାମାନେ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ