କେନ୍ଦ୍ରାପଡା ବ୍ଲକରେ ପାନୀୟ ଜଳ ସମସ୍ୟା ନେଇ ମହିଳାଙ୍କ ପ୍ରତିବାଦ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପାନୀୟଜଳ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ବ୍ଲକରେ ଗୁରୁବାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡା ବ୍ଲକରେ ସାମାଜିକ ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଡ଼ିଓ ଅଭିଷେକ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ମହିଳାମାନେ ପାନୀୟ ଜଳ ସମସ୍ୟା ନେଇ ଘେରାଉ କରି ପ୍ରତିବାଦ କରିଥିଲେ। ବ୍ଲକ୍‌ର ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଗ୍ରାମାଞ୍ଚଳର ମୁଖ୍ୟ ସମସ୍ୟା ପ୍ରତି ପ୍ରଶାସନର ଆଗ୍ରହ ନଥିବା ସେମାନେ ଅଭିଯୋଗ କରିଥିଲେ। ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଏନେଇ ବିଡ଼ିଓ ଶ୍ରୀ ସ୍ୱାଇଁଙ୍କ ସମେତ ପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ତାଗିଦ କରିଦେଇଥିଲେ। ଲୋକଙ୍କ ସମସ୍ୟା ସମାଧାନରେ ଅବହେଳା କରାଗଲେ ଦରମା ବନ୍ଦ କରାଯିବ ବୋଲି ଶ୍ରୀ ମଲ୍ଲିକ ଚେତାବନୀ ଦେଇଥିଲେ। ଓସ୍ତପୁର ପଞ୍ଚାୟତର ଶତାଧିକ ମହିଳା ବାଲ୍ଟି ଓ ଗରା ଧରି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜୋରଦାର ପ୍ରତିବାଦ କରିଥିଲେ। ପିଇବା ପାଣିର ଅଭାବରେ ସେମାନେ ଡହଳବିକଳ ହେଉଥିବା ବେଳେ, ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନରେ କେନ୍ଦ୍ରାପଡା ବ୍ଲକ ପରିସରରେ ଥିବା ପ୍ରଶାସନିକ ଅଧିକାରୀମାନେ କିଛି ସମୟ ପାଇଁ ସମସ୍ୟାରେ ପଡ଼ିଯାଇଥିଲେ। ଏନେଇ ବିଡ଼ିଓ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସମସ୍ୟା ସମ୍ପର୍କରେ ସେ ପୂର୍ବରୁ ଅବଗତ ନଥିଲେ। ଖୁବ୍‌ଶୀଘ୍ର ପାନୀୟଜଳ ସମସ୍ୟାର ସମାଧାନ କରାଯିବ। ଅଧିକାରୀମାନଙ୍କ ପ୍ରତିଶୃତି ପରେ ମହିଳାମାନେ ଫେରିଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ