ବିଶ୍ଵ ଏଡ଼ସ ଦିବସ ପାଳନ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ଏଡ଼ସ ଦିବସ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା କଲ୍ୟାଣୀ ପାଢ଼ୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସହକାରୀ ଚିକିତ୍ସକ ଡ.ଅନିଲ କୁମାର ବେହେରାଙ୍କ ମିଳିତ ସଂଯୋଜନାରେ ପାଳିତ ଏଡ଼ସ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର,ଫାର୍ମାସିଷ୍ଟ,ଲେବ ଟେକ୍ନିସିଆନ, ସ୍ୱାସ୍ଥ୍ୟ କର୍ମୀମାନେ ଯୋଗ ଦେଇଥିଲେ।ଡାକ୍ତର ଶ୍ରୀ ବେହେରା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ପ୍ରକାଶ କରିବା ସହ ଏହି ରୋଗ କିପରି ବ୍ୟାପିଥାଏ,ଏହି ରୋଗ ଠାରୁ କିପରି ଦୂରେଇ ରହିବେ ସେନେଇ ଅନେକ ତଥ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇଥିଲେ। ଇତିହାସର ସବୁଠାରୁ ବିନାଶକାରୀ ମହାମାରୀ ମଧ୍ୟରେ ଅନ୍ୟତମ ଏଚଆଇଭି ଓ ଏଡ଼ସ ବିରୁଦ୍ଧରେ ଲଢ଼ିବା ଆଉ ଜିତିବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଢ଼ୀ ଆହ୍ଵାନ ଦେଇଥିଲେ।ଏଥିପାଇଁ ବିଶେଶତ ଯୁବାଵର୍ଗ ସତର୍କ,ସଞ୍ଜମ ଓ ସଚେତନ ରହିବା ନିହାତି ଆବଶ୍ୟକ।ଡାକ୍ତର ସନ୍ତୋଷ ସାହୁ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ସଚେତନ ରହିଲେ ଭୟର କୌଣସି କାରଣ ନାହିଁ। ଏବେ ଏହି ରୋଗରେ ପୀଡ଼ିତ ଲୋକମାନେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଦ୍ବାରା ଦୀର୍ଘଦିନ ସୁସ୍ଥ ଜୀବନ ଜିଇଁ ପାଉରୁଛନ୍ତି। ଏଣୁ ନିଜେ ସତର୍କ,ସଞ୍ଜମ ଓ ସଚେତନ ରହିବା ସହ ଅନ୍ୟମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ। ଏହି ଅବସରରେ ଅଧ୍ୟାପକ ଏସ ରଘୁନାଥଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ମାନଙ୍କ ଏକ ସଚେତନତା ରାଲି ମୁନିଗୁଡ଼ା ମହାବିଦ୍ୟାଳୟରୁ ବାହାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଆସିଥିଲା। ମୁନିଗୁଡ଼ା ବଜାର ପରିକ୍ରମା ସମୟରେ ଛାତ୍ରଛାତ୍ରୀମାନେ ଏଡସ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡ.ସୁଚିଶ୍ମିତା ସାହୁ, ବିପିମ୍ ପ୍ରଭାକର ଧଳ ,ଫାର୍ମାସିଷ୍ଟ ଲକ୍ଷ୍ମଣ ବାଗ,ସହକାରୀ ସ୍ବାସ୍ଥ୍ୟକର୍ମୀ କେ. ଭୁବନେଶ୍ଵରୀ ଦେବୀ,ଅଜୟ କୁମାର ପରିଡ଼ା, କୁନାଳ ବାବୁ,ଶରତ ସାହୁ,ମିତା ବିଶୀ, ଗୌରାଙ୍ଗ ଚରଣ ବାରିକ ଏବଂ ରେଡ କ୍ରସର କ୍ୟାଡ଼ର ମାନେ ଏଡ଼ସ ସଚେତନ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ।


