ବିଶ୍ୱ ଘରଚଟିଆ ଦିବସ
ଆସିକା (ୱାଇଏନ୍ଏସ୍) :ଆଜି ପାଳିତ ହେବ ବିଶ୍ୱ ଘରଚଟିଆ ଦିବସ । ଘରଚଟିଆଙ୍କ ସୁରକ୍ଷା ପାଇଁ ସଚେତନତାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ପରିବେଶବିତ୍ଙ୍କ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଅତୀତରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘର ଚଟିଆ ମାନଙ୍କ ଚଳପ୍ରଚଳ ଥିଲା । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ନାନା କାରଣରୁ ଏହି ଘରଚଟିଆ ପକ୍ଷୀ ମାନେ ନିଜର ଅସ୍ଥିତ୍ୱ ହରାଇବାକୁ ବସିଲେଣି । ଘରଚଟିଆ ଛୋଟିଆ ପକ୍ଷୀଟିଏ ହୋଇଥିଲେ ବି ତାର କିଚିରି ମିଚିରି ଶବ୍ଦରେ ଆଖପାଖ ପରିବେଶ ଫାଟି ଉଠିଥାଏ । ଦୈନନ୍ଦିନ ଜୀବନରେ ଆମ ଚାରିପଟେ ଯେତେସବୁ ପକ୍ଷୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅତି ଛୋଟିଆ ପକ୍ଷୀ ଘରଚଟିଆ ଅନ୍ୟତମ । ଭୋର ସମୟରେ ଘରଚଟିଆ ପକ୍ଷୀର ରାବ ଶୁଣି ନିଦ ଭାଙ୍ଗି ଯାଇଥାଏ । ସେଥିପାଇଁ ଘରଚଟିଆ ପକ୍ଷୀକୁ ପ୍ରାକୃôତିକ ଆଲ୍ରାମ୍ କହିଲେ ବି ଅତ୍ୟୁକ୍ତି ହେବ ନାହିଁ ହେଲେ ଘରଚଟିଆ ପକ୍ଷୀକୁ ଆଉ ପୂର୍ବଭଳି ଦେଖିବାକୁ ମିଳୁନାହିିଁ । ଗ୍ରାମାଂଚଳ ଓ ସହରାଂଚଳରେ ଝାଟିମାଟି ଓ ଚାଳଘର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବା ଯୋଗୁଁ ଏହି ଘରଚଟିଆ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସମୟ ବଦଳିବା ସହ ଆଧୁନିକତାକୁ ତାଳ ଦେଇ ଗ୍ରାମାଂଚଳରୁ ଦୂରେଇ ସହରମୁହାଁ ହେବାରେ ଲାଗିଛନ୍ତି ବହୁ ବ୍ୟକ୍ତି । ସେହିିଭଳି ଗ୍ରାମାଚଂଳରେ ମଧ୍ୟ ଦେଖିବାକୁ ମିଳୁଛି ସହରୀ ସଭ୍ୟତାର ଛାପ । ଏହିଭଳି ପରିବର୍ତ୍ତନ ଭିତରେ ନିଜକୁ ଖାପ ଖୁଆଇ ବଂଚିପାରୁ ନାହିଁନ୍ତି ଘରଚଟିଆ । ଯାହାରି ଫଳରେ ବିଲୁପ୍ତ ପ୍ରାୟ ହେବାକୁ ବସିଛି ଘରଚଟିଆ ପକ୍ଷୀ । ଗ୍ରାମାଚଂଳ ଓ ସହରାଂଚଳରେ ଚାଳଘର ନଥିବା ଯୋଗୁଁ ଜନମାନସରୁ ହଜିବାରେ ବସିଛନ୍ତି ଘରଚଟିଆ ପକ୍ଷୀ । ଘରଚଟିଆ ପକ୍ଷୀଙ୍କ ସୁରକ୍ଷା ପାଇଁ ଗତ ୨୦୧୦ ମସିହା ଠାରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ବିଶ୍ୱସ୍ତରରେ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି । ଗତ ୧୯୯୯ ମସିହା ମହାବାତ୍ୟା ପର ଠାରୁ ଏହି ଘରଚଟିଆମାନଙ୍କ ବଂଶୁ ପ୍ରତି ବିପଦ ମାଡିଆସିଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନବରତ ବିଭିନ୍ନ ସମୟରେ ଗଛକଟା ଓ କଂକ୍ରିଟକରଣ ହିଁ ଏମାନଙ୍କ ବଂଶବୃଦ୍ଧିରେ ବାଧକ ସାଜିଛି । ଧାନ ଘରଚଟିଆମାନଙ୍କ ଖାଦ୍ୟ ହୋଇଥିବା ବେଳେ ଆଧୁନିକତାର ଛାପରେ ଜୀବନଶୈଳୀ ପରିବର୍ତ୍ତନ କାରଣରୁ ଆଗଭଳି ଆଉ ଧାନ ଶୁଖାଯାଉନି । ଘରଚଟିଆ ପକ୍ଷୀଟି ଆକାରରେ ଛୋଟ ହେଲେ ବି ଧୂସର ରଙ୍ଗର ଏହି ପକ୍ଷୀଟି ଭାରି କର୍ମଠ । କାଠିକୁଟା ସଂଗ୍ରହ କରି ଚାଳଘର କିମ୍ବା ଗାଁ ପାଖ ବଣବୁଦାରେ ନିର୍ନାଣ କରିଥାଏ ତା ନିଡ । ସେଠାରେ ସେ ଥରକୁ ଦୁଇଟି କିମ୍ବା ୩ଟି ଅଣ୍ଡା ଦେଇ ନିଜର ବଂଶବିସ୍ତାର କରିଥାଏ । ଅତୀତରେ ଭାରି ଭଲ ଲାଗୁଥିଲା ଦାଣ୍ଡ ଅଗଣାରେ ଦଳ ଦଳ ହୋଇ ଖାଦ୍ୟ ସଂଗ୍ରହ କରୁଥିବା ଏହି କୁନି ଚଢେଇମାନଙ୍କ କିଚିରି ମିଚିରି ଶବ୍ଦ । ମାତ୍ର ବିଗତ କିଛି ବର୍ଷ ହେଲା ବାସସ୍ଥଳୀର ସଂକଟ, ଖାଦ୍ୟାଭାବ ଓ ପରିବେଶ ପ୍ରଦୂଷଣ କାରଣରୁ ଏହି କ୍ଷୁଦ୍ର ପକ୍ଷୀର ବଂଶ ଲୋପ ପାଇବାକୁ ବସିଲାଣି । ଗାଁଦାଣ୍ଡରେ ଡେଇଁ ଡେଇଁ ଦାନା ଅଣ୍ଡାଳୁଥିବାର ଦୃଶ୍ୟ ହେଉ ଅବା ଗ୍ରୀଷ୍ମ ଋତୁରେ ଧୂଳିଗାଧୁଆର ଦୃଶ୍ୟ ଏବେ ଆଉ ଦେଖିବାର ମିଳୁନି । ଘର ଚଟିଆ ମାନବ ଜୀବନର ଖୁବ୍ ଉପକାରୀ ପକ୍ଷୀ ହୋଇଥିଲା ବେଳେ ବର୍ଷାର ଆଗମନ ସଂପର୍କରେ ସେ ସୂଚନା ଦେଉଥିଲା । ଯଦି ସେମାନେ ଦଳ ଦଳ ହୋଇ ଗାଁ ଦାଣ୍ଡର ଧୂଳିରେ ଦଳ ଦଳ ହୋଇ ପୋତିହୋଇ ଆନନ୍ଦରେ ଖେଳୁଥିଲେ ଏହାର କିଛି ସମୟ ପରେ ବର୍ଷା ନିଶ୍ଚିତ ଆସିବ ବୋଲି ବିଶ୍ୱାସ ରହିଥିଲା । ଏପରିକି ଘରଚଟିଆ ବସା ବାନ୍ଧିଲେ ଶୁଭ ହୋଇଥାଏ ବି ଲୋକପ୍ରଥା ପ୍ରଚଳିତ ଥିଲା । ତେବେ ଏହି କ୍ଷୁଦ୍ର ପକ୍ଷୀ ଘରଚଟିଆ ଜନମାନସରୁ ଦୂରେଇ ଯିବା ପୂର୍ବରୁ ସାଧାରଣଜନତା ଏହି ବିରଳ ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ଓ ବଂଶବିସ୍ତାର ପାଇଁ ଆଗେଇ ଆସି କାର୍ଯ୍ୟ କରିବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


