ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରରେ ବିଶ୍ୱ କିଡନୀ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ଗୁରବାର ବିଶ୍ୱ କିଡନୀ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ବିଶ୍ୱ କିଡନୀ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ କିଡନୀ ରୋଗର କୌଣସି ଲକ୍ଷଣ ଦେଖାଦେଇନଥିଲା ବେଳେ ଆଖି ଚାରିପଟ ସହ ପାଦ କିମ୍ବା ଗୋଇଠି ଫୁଲିବା, ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାରେ ଫେଣ ହେବା, ପରିସ୍ରାର ମାତ୍ରା କମିଯିବା କିମ୍ବା ପରିସ୍ରାର ରଙ୍ଗ ଲାଲ୍ ହେବା, ଅଧିକ କ୍ଳାନ୍ତ ଓ ଦୁର୍ବଳତା ଅନୁଭବ କରିବା, ଭୋକ କମିବା ଏବଂ ବାନ୍ତି ଲାଗିବା ଇତ୍ୟାଦି କିଡନୀ ରୋଗର ଅନ୍ୟତମ ପ୍ରମୁଖ ଲକ୍ଷଣ ହୋଇଥିଲା ବେଳେ ଏଥିରୁ ଦୂରେଇ ରହିବା ପାଇଁ ଖାଦ୍ୟରେ ଲୁଣ କମ୍ ଖାଇବା, ରକ୍ତଚାପ ଓ ସର୍କରା ନିୟନ୍ତ୍ରଣ କରିବା, ନିଶାଦ୍ରବ୍ୟରୁ ଦୂରେଇ ରହିବା ଉପରେ ସଚେତନ କରିଥିଲେ । ମାରାତ୍ମକ ଲୁକ୍କାୟିତ କିଡନୀ ରୋଗ ଠାରୁ ଦୂରେଇ ରହିବା ସହ କିପରି ସୁସ୍ଥ ଜୀବନଶୈଳୀ ଅତିବାହିତ କରିବା ସେ ସଂକ୍ରାନ୍ତରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିବା ସାଙ୍ଗକୁ କିଡନୀ ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଶ୍ୱ କିଡନୀ ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


