ବିଶ୍ୱ କବିତା ଦିବସ ପାଳିତ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଓଡ଼ିଆ ବିଭାଗରେ ଏକ ଭବ୍ୟ ସଭାର ଆୟୋଜନ ହୋଇଥିଲା l ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ ବିଶ୍ୱ କବିତା ଦିବସ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ସଭା ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ବିଶ୍ୱ କବିତା ଦିବସ ପାଳନର ଉଦ୍ଦେଶ୍ୟ ଓ ଇତିହାସ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ବିପିନ ନାୟକ ସାମ୍ପ୍ରତିକ ଯୁଦ୍ଧ ବିକ୍ଷୁବ୍ଧ ପୃଥିବୀରେ କବିତା ଦିବସ ପାଳନର ଗୁରୁତ୍ୱ ରହିଥିବା କଥା କହିବା ସହ କବିତା ହିଁ ସବୁ ଅଶାନ୍ତ ଅସନ୍ତୋଷ ମଧ୍ୟରେ ଚେନାଏ ଜହ୍ନ ଆଲୁଅ ପରି ଶୀତଳତା ପ୍ରଦାନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ. ବନମାଳୀ ପାଣିଗ୍ରାହୀ ମଂଚାସୀନ ଥିଲେ l କାର୍ଯ୍ୟକ୍ରମ ଶେଷରେ ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ଚିନ୍ମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ସ୍ବର୍ଣ୍ଣଲତା ବିଷୋୟୀଙ୍କ ସମେତ ବିଭାଗର ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ହିନ୍ଦୀ ବିଭାଗ ଅଧ୍ୟାପିକା ଅର୍ପିତା ଜେନା ସମେତ ଓଡ଼ିଆ, ଇଂରାଜୀ, ହିନ୍ଦୀ ବିଭାଗର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l


