ପ୍ରଶାସନ ପକ୍ଷରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ

 କଟକ(ଓ୍ବାଇଏନଏସ): ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସର୍ବଶିକ୍ଷା ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ସୁଇଜରଲାଣ୍ଡର ନାମିଦାମି ବ୍ୟବସାୟୀ, ଚିକିତ୍ସକ ତଥା ରେଡକ୍ରସ ପ୍ରତିଷ୍ଠାତା ସାର ଜନ ହେନେରୀ ଡୂନାଣ୍ଟଙ୍କ ଜନ୍ମଦିବସରେ ପ୍ରତ୍ୟେକ ବର୍ଷ ବିଶ୍ଵ ରେଡକ୍ରସ ଦିବସ ପାଳନ କରାଯାଉଅଛି । ଆଜିର ଏହି ଦିବସ ପାଳନ ଅବସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ରେଡକ୍ରସ୍ ର ଭୂମିକା ସମ୍ବନ୍ଧରେ ସୂଚନା ପ୍ରଦାନ କରି କହିଲେ ଯେ, ଏହି ଆଦର୍ଶ ବ୍ୟବସ୍ଥାରେ ଅତି କମ ସମୟରେ ଅଭାବି ଲୋକଙ୍କୁ ଚିକିତ୍ସା ଆଦି ଆବଶ୍ୟକତା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । ଅନେକ ସମୟରେ ଲୋକଙ୍କ ପାଇଁ ଏହି ସହାୟତା ଜୀବନ ରକ୍ଷକ ପ୍ରମାଣିତ ହୋଇଥାଏ । ତେଣୁ ରେଡକ୍ରସ ପାଣ୍ଠିରେ ବୃଦ୍ଧି କରିବା ଆମ ସମସ୍ତଙ୍କର ଦାୟିତ୍ଵ ହେବା ଉଚିତ । ଏହି ପାଣ୍ଠି ଯଥେଷ୍ଟ ବୃଦ୍ଧି ଘଟିଲେ ଆମେ ଗରିବ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ପାରିବା । ସଭାର ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଜିଲ୍ଲା ରେଡକ୍ରସ ପାଣ୍ଠି ବୃଦ୍ଧି ଉପରେ ଗୁରୁତ୍ଵ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ ରେଡକ୍ରସ ସଂଗଠନ ର ଇତିହାସ ଓ ଭାରତରେ ରେଡକ୍ରସ ସୋଶାଇଟ ର ସଂମୃଦ୍ଧି ଉପରେ ବିସ୍ତ୍ରୁତ ବିବରଣୀ ରଖିବା ସହ ଚଳିତ ବର୍ଷ ବିଶ୍ଵ ରେଡକ୍ରସ ଦିବସର ବିଷୟ “ମାନବିକତାର ପକ୍ଷରେ”(on the side of humanity) ଉପରେ ଆଲୋକପାତ କରି କହିଥିଲେ ଯେ, କଟକ ଜିଲ୍ଲାରେ ଜିଲ୍ଲା ଶାଖା ସଭାପତି ତଥା ଜିଲ୍ଲାପାଳ ଶ୍ରୀ ଶିନ୍ଦେଙ୍କ ନେତୃତ୍ଵରେ ରେଡକ୍ରସ ର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦର୍ଶାଇଥିଲେ । ରେଡକ୍ରସ ର ପାଣ୍ଠି ବୃଦ୍ଧି ସହ ଏହାର ସଦୁପଯୋଗ ଉପରେ ଜିଲ୍ଲାପାଳଙ୍କ ବିଶେଷ ନିର୍ଦ୍ଦେଶ ଥିବା ସେ କହିଥିଲେ । ସଭାରେ ସ୍ଵାଗତ ଭାଷଣ ଦେଇ ଜିଲ୍ଲା ଜରୁରୀକାଳିନ ଅଧିକାରୀ ତଥା ଡେପୁଟୀ କଲେକ୍ଟର ଶ୍ରୀ ସୁଜୟ ପତି କଟକ ଜିଲ୍ଲା ରେଡକ୍ରସ ସୋଶାଇଟି ର ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ ଥିବା କଥା ଜଣାଇଥିଲେ । ଏହି ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାବିତ୍ରୀ ଜନସେବା ସ୍ଵୟଂସହାୟକ ଗୋଷ୍ଠୀକୁ ଏବଂ ଯୁବ ପ୍ରଶାସକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବାପି ବିଶ୍ଵଜିତ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟ/ସଦସ୍ୟା, ଜିଲ୍ଲା ରେଡକ୍ରସ ସୋଶାଇଟି ଏବଂ ଯୁବ ରେଡକ୍ରସ ର ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ