ବିଶ୍ୱ ଷ୍ଟ୍ରୋକ ଦିବସ ପାଳନ
ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ୱ ଷ୍ଟ୍ରୋକ ଦିବସ 2025 ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଏ ବର୍ଷର ବିଶ୍ୱ ଷ୍ଟ୍ରୋକ ଦିବସର ଥିମ୍ ଥିଲା “Every Minute Counts” (ପ୍ରତିଟି ମିନିଟ୍ ଗୁରୁତ୍ୱପୂର୍ଣ୍ଣ)। ଏହି ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଉପକେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନେ ଓ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଏହି ସଭାରେ ଉପସ୍ଥିତ ହୋଇଥିଲେ। ସଭାପତି ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କଲେ ହେଲେ ଷ୍ଟ୍ରୋକ ରୋଗକୁ ଆଗୁଆଁରୁ ପ୍ରତିରୋଧ କରାଯାଇପାରିବ ବୋଲି ଉଲ୍ଲେଖ କଲେ। ନୂତନ ଯୋଗଦେଇଥିବା ଡାକ୍ତର ଅମୂଲ୍ୟ ଦାସ ସଚେତନତା ବାର୍ତ୍ତା ଦେଇ କହିଥିଲେ ଯେ “S-O-S” (ଲୁଣ, ତେଲ ଓ ଚିନି) ଖାଦ୍ୟରେ କମ କଲେ ଷ୍ଟ୍ରୋକ ଝୁମିକି ହ୍ରାସ ପାଇପାରିବ। ସଭାରେ ଡାକ୍ତର ସଂଜୀବ ପ୍ରଧାନ, ଡାକ୍ତର ପ୍ରଦୀପ କର ଓ ଡାକ୍ତର ରାମଚନ୍ଦ୍ର କିସ୍କୁ ମଧ୍ୟ ଷ୍ଟ୍ରୋକ ସମ୍ପର୍କିତ ସଚେତନତା ଓ ପ୍ରତିରୋଧ ଉପାୟ ଉପରେ ମତବ୍ୟକ୍ତ କରିଥିଲେ। ସଭାର ଶେଷରେ ଷ୍ଟ୍ରୋକ ବିଷୟରେ ଗାଁ ଓ ଗ୍ରାମ୍ୟ ଅଞ୍ଚଳରେ ଅଧିକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟକ୍ରମ ଡାକ୍ତର ଅରୂପ ଅଭିଷେକଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ଶ୍ରୀ ପ୍ରଦୀପ କୁମାର ସାହୁ, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଯୋଗାଯୋଗ ଅଧିକାରୀ, ଧନ୍ୟବାଦ ଜଣାଇଥିଲେ।

 
             
						 
						 
						 
						 
						 
						
